ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଯୋଗାଣ ପୁଣି ଆରମ୍ଭ-ଯୁଗ୍ମ ସଚିବ ସୁଜାତା ଶର୍ମା

ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଭାରତରେ ଗ୍ୟାସ୍ ଅଭାବ ବ୍ୟାପକ ଚିନ୍ତାର କାରଣ ହୋଇଛି। ତଥାପି ପରିସ୍ଥିତି ଦ୍ରୁତ ଗତିରେ ସୁଧୁରୁଛି। ନିବାର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ, ୨୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବାଣିଜ୍ୟିକ ସିଲିଣ୍ଡର ଯୋଗାଣ ପୁଣି ଆରମ୍ଭ ହୋଇଛି। ଦେଶରେ ଗ୍ୟାସ୍ ଅଭାବ ନାହିଁ ଏବଂ ପର୍ଯ୍ୟାପ୍ତ ପରିମାଣର ସଂରକ୍ଷଣ ରହିଛି। ତଥାପି ଲୋକମାନେ ଏବେ ବି ଆତଙ୍କିତ ହୋଇ ତରବରିଆ ବୁକିଂ କରୁଛନ୍ତି। ସେ ଲୋକମାନଙ୍କୁ ପାନିକ୍ ବୁକିଂରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି।ଏହି ସଙ୍କଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ଯାହା ପରେ ଇରାନ ୨ଟି ଭାରତୀୟ ଏଲପିଜି ଜାହାଜକୁ ହର୍ମୁଜ ଦେଇ ଆସିବାକୁ ଅନୁମତି ଦେଇଛି । ଏହି ପଦକ୍ଷେପ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାହିଁକିନା ଗତ କିଛି ଦିନ ତଳେ ମଧ୍ୟପ୍ରାଚ୍ୟର ଯୁଦ୍ଧ ଯୋଗୁଁ ବାଣିଜ୍ୟିକ ଏଲପିଜିର ଘୋର ସଙ୍କଟ ଦେଖାଦେଇଥିଲା । ଫଳରେ ଅନେକ ଅଞ୍ଚଳରେ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ତାଲା ପଡିବା ପରିସ୍ଥିତିରେ ପହଞ୍ଚିଛି ।ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ‘ବାଣିଜ୍ୟିକ ସିଲିଣ୍ଡର ବିଷୟରେ ବହୁତ ଆଲୋଚନା ହୋଇଥିଲା । ଏହି ସମ୍ପର୍କରେ, ରାଜ୍ୟ ସରକାରଙ୍କ ସହିତ ମଧ୍ୟ ଆଲୋଚନା କରାଯାଇଛି । ୨୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବାଣିଜ୍ୟିକ ସିଲିଣ୍ଡର ବଣ୍ଟନ ଆରମ୍ଭ ହୋଇଛି ଏବଂ ସେଗୁଡ଼ିକୁ ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି ।’

ଅଧିକ ପଢନ୍ତୁ