ବରମୁଣ୍ଡା ବାବାସାହେବ ଭୀମରାଓ ଆମ୍ବେଦକର ବସ୍ଷ୍ଟାଣ୍ଡ (ବିଏସ୍ଏବିଟି) ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ଏୟାରପୋର୍ଟ ଟର୍ମିନାଲ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ପାଇବେ ଯାତ୍ରୀ ।ବରମୁଣ୍ଡା ବସ୍ ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍ ଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସ୍ ଷ୍ଟାଣ୍ଡ। ଦୈନିକ ଶହ ଶହ ବସ୍ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ। ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବରମୁଣ୍ଡା ବସ୍ଷ୍ଟାଣ୍ଡର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ବରମୁଣ୍ଡାଠାରେ ପ୍ରାୟ ୨୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସ୍ ଷ୍ଟାଣ୍ଡରେ ଏୟାରପୋର୍ଟ ଭଳି ସୁବିଧା ସୁଯୋଗ ରହିଛି। ଯାତ୍ରୀଙ୍କ ରହଣି ପାଇଁ ବିଶ୍ରାମସ୍ଥାନ, ଲିଫ୍ଟ, ଏସ୍କାଲେଟର, ଏଟିଏମ୍ ସେବା, ପୋଲିସ ଆଉଟ୍ପୋଷ୍ଟ, ଫୁଡ୍କୋଟ, ଲଗେଜ୍ସ୍କାନର, ଶୌଚାଳୟ ସମେତ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି।
ବସ୍ ଚଳାଚଳ ସୁବିଧାକୁ ଦୃଷ୍ଟିରେ ରଖି ରେଡିଓ ଫ୍ରିକ୍ୱେନ୍ସି ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ମଧ୍ୟ ଟ୍ରାଏଲ୍ ରନ୍ ହୋଇସାରିଛି। ବସ୍ ଟର୍ମିନାଲ୍ ଭିତରେ ମିଶନଶକ୍ତି କାଫେ, ମିଲେଟ୍ଶକ୍ତି କାଫେ ଓ ଆହାରକେନ୍ଦ୍ର ହୋଇଛି।