ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା T-20 । ଟିକେଟ୍ ବିକ୍ରି ପରେ ଏବେ ସକ୍ରିୟ ଦଲାଲ୍

ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା T-20 ପାଇଁ ସରିଛି ଟିକେଟ ବିକ୍ରି। ଗତଥର ତ୍ରୁଟିକୁ ସୁଧାରି ଟିକେଟ ବିକ୍ରି ବ୍ୟବସ୍ଥାକୁ ବେଶ ଶୃଙ୍ଖଳିତ କରିଥିଲା ପୋଲିସ। ତେବେ କଳାବଜାରୀ ଚିତ୍ର କିନ୍ତୁ ଜଳଜଳ ହୋଇ ସାମନାକୁ ଦିଶୁଛି। ପୂର୍ବ ମ୍ୟାଚ ଭଳି ଏଥର ବି ମହିଳାଙ୍କୁ ଦଲାଲ କାମରେ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ସେପଟେ ମ୍ୟାଚ୍‌ ପାଇଁ କମିଶନେରେଟ ପୁଲିସର ପ୍ରସ୍ତୁତି । ବାରବାଟୀରେ ମ୍ୟାଚ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୁଲିସ କମିଶନର ଏସ.ଦେବଦତ୍ତ ସିଂ। ତେବେ ଟିକେଟ୍‌ ଖଣ୍ଡେ ପାଇବାକୁ କ୍ରିକେଟ୍‌ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଘଣ୍ଟା ଘଣ୍ଟା ଲାଇନ୍‌ରେ ରହି ଟିକେଟ୍ ନେଇଛନ୍ତି ଦର୍ଶକ । ଏପଟେ କ୍ରିକେଟ୍ ବିଷୟରେ ଜାଣିନଥିବା କିଛି ମହିଳା ବି ଆଜି ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଥିଲା । କେଉଁ ତାରିଖରେ ମ୍ୟାଚ ଜାଣି ନାହାନ୍ତି । କେଉଁ ଟିମ୍ ଭିତରେ ଖେଳ ହେବ ଜଣା ନାହିଁ । ଟିକେଟ ଦାମ୍ ବି କହି ପାରୁ ନାହାନ୍ତି ।ଏମାନେ କିନ୍ତୁ ହାତେଇଛନ୍ତି ଟି-20 ଟିକେଟ୍ । ଏମାନଙ୍କୁ ପଠାଇଛି କିଏ ? ଷ୍ଟାଡିୟମ ବାହାରେ ହାଉଜାଉ ମହିଳା । ନା ଖେଳ ପ୍ରତି ନିଶା ଅଛି ନା ମ୍ୟାଚ ବିଷୟରେ ଜାଣିଛନ୍ତି। ପଚାରିଲେ ଦିପଦ ଠିକ ସେ କହି ପାରୁ ନାହାନ୍ତି। ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ନଥିବାରୁ ସେମାନେ ମଧ୍ୟ ହଟହଟା ହୋଇଥିଲେ। ଏ ଘଟଣା ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାକୁ ଆସିବା ପରେ ଓସିଏ ସହ ଆଲୋଚନା କରାଯାଇ ଦିବ୍ୟାଙ୍ଗଙ୍କ ପାଇଁ ଏକ ଅସ୍ଥାୟୀ କାଉଣ୍ଟର ଖୋଲାଯାଇଥିଲା। ତେବେ ଗତକାଲି ସୋସିଆଲ ମିଡିଆରେ ଟିକଟ ବିକ୍ରି ବ୍ଲାକ୍ ଆରମ୍ଭ ହୋଇଯାଇଛି। ୬ଶହ ଟଙ୍କାର ଟିକେଟ ଦାମ ୫ ହଜାର ଟଙ୍କାରେ ବିକ୍ରି ହେଉଛି। କମିଶନରେଟ୍ ପୋଲିସ ମଧ୍ୟ ଟିକେଟ୍ ବ୍ଲାକ୍ ଉପରେ ନଜର ରଖାଯାଇଥିବା କହିଛି।

ଅଧିକ ପଢନ୍ତୁ