ବାରବାଟୀ ମ୍ୟାଚ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼ । ଆଜିଠାରୁ ଅଫ ଲାଇନରେ କାଉଣ୍ଟରରେ ୧୦ ହଜାର ଟିକେଟ୍ ବିକ୍ରୀ ହେବ।ଟିକେଟ୍ ବିକ୍ରି ଆରମ୍ଭ ହେବା ପୂର୍ବରୁ ହିଁ ଷ୍ଟାଡିୟମ ବାହାରେ ଅସମ୍ଭାଳ ଭିଡ଼ ଜମିଛି। ଶତାଧିକ କ୍ରିକେଟ୍ ପ୍ରେମୀ ରାଜ୍ୟ ତଥା ବାହାରୁ ଆସି ଗତକାଲି ରାତିରୁ ହିଁ କାଉଣ୍ଟର ଆଗରେ ଲମ୍ବା ଧାଡ଼ି ଲଗାଇ ରହିଛନ୍ତି। ଅନେକ ପ୍ରଶଂସକ ରାତିସାରା ଉଜାଗର ରହି ଟିକେଟ୍ ପାଇଁ ଅପେକ୍ଷା କରିଛନ୍ତି।ଆଜି ସକାଳ ୬ଟାରେ ବ୍ୟାରିକେଡ୍ ଭିତରେ ଧାଡ଼ିରେ ରହିବାକୁ ଦିଆଯିବ ବୋଲି ପୋଲିସ ପକ୍ଷରୁ ପୂର୍ବରୁ କୁହାଯାଇଥିଲା । ଅସମ୍ଭାଳ ଭିଡ଼କୁ ନଜରରେ ରଖି ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାରିକେଡ୍ ଭିତରକୁ ଛାଡିଥିଲା ପୋଲିସ ।ରାତିରେ ଘଟଣାସ୍ଥଳରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ଲୋକଙ୍କ ସହିତ ପୋଲିସ ରାତି ଅନିଦ୍ରା ରହିଛି । ଲାଇନ୍ ଭିତରେ ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି କ୍ରିକେଟ୍ ପ୍ରେମୀ ।ଅନ୍ୟପଟେ ଏଥର ଟିକଟ କଳାବଜାର ରୋକିବାକୁ କମିସନରେଟ୍ ପୋଲିସ ବାରବାଟୀ ଚାରିପଟେ ଡ୍ରୋନ୍ କ୍ୟାମେରା ଉଡ଼ାଇବାକୁ ନିଷ୍ପତ୍ତି ନେଇଛି । ଗଳି କନ୍ଦିରେ ଯେଉଁଠି ଟିକଟ କଳାବଜାର କରାଯିବ ଏହା ଉପରେ ନଜର ରଖିବା ସହିତ କୌଣସି ଅପ୍ରୀତିକର ପରିସ୍ଥିତି ହେଲେ ଏହା ଉପରେ ନଜର ରଖାଯିବ । ଏଥର କ୍ରିକେଟ୍ ମ୍ୟାଚ୍ ପାଇଁ ୩୦୦ ସିସି କ୍ୟାମେରା ଲାଗିଥିବା ବେଳେ ପଡ଼ିଆ ବାହାରେ ଟିକଟ କାଉଣ୍ଟର୍ , ବ୍ୟାରିକେଡ୍ ନିକଟରେ ୬୪ କ୍ୟାମେରା ଲଗାଯାଇଛି। ସମସ୍ତ କ୍ୟାମେରାକୁ ଓସିଏ କଣ୍ଟ୍ରୋଲ୍ ରୁମ୍ ରୁ ନିୟନ୍ତ୍ରଣ କରାଯିବ ।
