ସରିଗଲା କଟକର ଐତିହାସିକ ବାଲିଯାତ୍ରା ।ଚଳିତ ବର୍ଷ ବାଲିଯାତ୍ରାରେ 9 ଦିନରେ 60 ଲକ୍ଷରୁ ଅଧିକ ଲୋକଙ୍କ ସମାବେଶ ହୋଇଥିବା ବେଳେ ଶନିବାର, ରବିବାର ଏବଂ ଶେଷ ଦିନରେ ରେକର୍ଡ଼ ସଂଖ୍ୟକ ଭିଡ଼ ହୋଇଥିବା ଜିଲ୍ଲପାଳ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି କେବଳ ପଲିଶ୍ରୀ ମେଳାରେ ଏଥର ପୂର୍ବ ବର୍ଷ ମାନଙ୍କ ତୁଳନାରେ ରେକର୍ଡ଼ ସଂଖ୍ୟକ ବ୍ୟବସାୟ ହୋଇଛି । ବୁଧବାର ଅଷ୍ଟମ ଦିନ ସନ୍ଧ୍ୟା ସୁଦ୍ଧା ପ୍ରାୟ 47 କୋଟି 68 ଲକ୍ଷ 68 ହଜାର ଟଙ୍କାର କାରବାର ହୋଇଥିବା ବେଳେ ଶେଷ ଦିନରେ ଆହୁରି 10 କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥର ପୂର୍ବ ବର୍ଷମାନଙ୍କ ଭଳି ଉପର ପଡିଆରେ ବାଲିଯାତ୍ରା ଆୟୋଜନ କରାଯାଇନଥିଲା । ମାତ୍ର ତଳ ପଡିଆରେ 60 ଏକରରୁ ଅଧିକ ଜମିରେ ଐତିହାସିକ ମେଳାର ଆୟୋଜନ କରାଯାଇଥିଲା । ତଥାପି ଲୋକମାନେ ଟ୍ରାଫିକ ସମସ୍ୟାର ସମୁଖୀନ ହୋଇଥିଲେ । 5 ତାରିଖରୁ ଆରମ୍ଭ ହୋଇଥିବା ଐତିହାସିକ ଯାତ୍ରାରେ ପ୍ରଥମ ଦିନ ବିଶେଷ ଭିଡ଼ ହୋଇ ନଥିଲା । ମାତ୍ର ଦ୍ୱିତୀୟ ଦିନଠାରୁ ଭିଡ଼ ବଢ଼ି ଥିଲା । ପ୍ରତ୍ୟକ ଦିନ ହାରାହାରି 6 ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଥିଲେ । ମାତ୍ର ଶନିବାର ଓ ରବିବାର ଭିଡ଼ ଦ୍ବିଗଣିତ ହୋଇଥିଲା । ରବିବାର ଏବଂ ଶେଷ ଦିନରେ ପାଖାପାଖି 15 ଲକ୍ଷରୁ ଅଧିକ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥିଲା ।
