ଦାବି ପୂରଣ ନହେଲେ ଆସନ୍ତା ବାଲିଯାତ୍ରାରେ ଅସହଯୋଗ କରିବାକୁ ଚେତାବନୀ ଦେଇଛି ବାଲିଯାତ୍ରା ବ୍ୟବସାୟୀ ସଙ୍ଘ ମିଳିତ ମଞ୍ଚ । ବାଲିଯାତ୍ରା ପାଇଁ ପ୍ରଶାସନ ଯେଉଁ ନିଲାମୀ ପ୍ରକ୍ରିୟା ଆପଣେଇଛି, ତାକୁ ମିଳିତ ମଞ୍ଚ ତରଫରୁ ବିରୋଧ କରାଯାଇଛି ।କାହିଁକି ନା ବାଲିଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରତୀକ। କଟକର ଟେଣ୍ଟ ହାଉସ, ଦୋଳି ବ୍ୟବସାୟୀ, ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟୀ ପ୍ରତିବର୍ଷ ବାଲିଯାତ୍ରା କୋଟି କୋଟି ଟଙ୍କାର ବ୍ୟବସାୟ କରିଥାନ୍ତି ଓ ଲାଭାନ୍ବିତ ହୋଇଥା’ନ୍ତି। କିନ୍ତୁ ବିଗତ କିଛି ବର୍ଷ ହେବ କଟକରେ ଲାଗି ରହିଥିବା କିଛି ଅସହିଷ୍ଣୁ ନିୟମ ବ୍ୟବସାୟୀମାନଙ୍କୁ କୁଠାରଘାତ କରିଛି। ଯାହାକୁ ଚଳିତବର୍ଷ ପରିବର୍ତ୍ତନ କରିବା ପାଇଁ ଦାବି କରିଛି ମଞ୍ଚ।ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମଞ୍ଚ ଅଭିଯୋଗ କରିଛି ଯେ, ଗତ ୨ ବର୍ଷ ହେଲା ପ୍ଲଟ ଅକ୍ସନ କରାଯାଉଛି, ଯାହା ଦ୍ୱାରା ନିଲାମଧାରୀ ମାନଙ୍କୁ ପ୍ଲଟ୍ ଖଣ୍ଡେ ପାଇଁ ମାତ୍ରାଧିକ ଦେୟ ଦେବାକୁ ପଡୁଛି । ପରିଣାମ ସ୍ୱରୂପ ବାଲିଯାତ୍ରାରେ ଦର ଦାମ୍ ବୃଦ୍ଧି ପାଉଛି । ଏହି ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ଲାଗି ସ୍ଥାନୀୟ ଏବଂ କ୍ଷୁଦ୍ର ବ୍ୟବସାୟୀ ମାନେ କ୍ଷତି ସହୁଛନ୍ତି । ଯାତ୍ରୀ ମାନେ ମହଙ୍ଗା ମାଡ଼ର ଶିକାର ହେଉଛନ୍ତି । ତେଣୁ ନିଲାମୀ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବାତିଲ କରିବା ଲାଗି ମିଳିତ ମଞ୍ଚ ଦାବି କରିଛି ।