ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିଜେଡ଼ି ଓ କଂଗ୍ରେସରାୟଗଡ଼ା- ବାଲେଶ୍ୱର ଏଫ୍.ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ମଙ୍ଗଳବାର ସକାଳେ ବିଜେଡ଼ି ଓ ଅପରାହ୍ନରେ କଂଗ୍ରେସ ପକ୍ଷରୁ ସ୍ଥାନୀୟ କପିଳାସ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଜେଡ଼ି ଜିଲା ଉପସଭାପତି ବିନାୟକ କରଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ଦଳର ବହୁ ବରିଷ୍ଠ, ଯୁବ ଓ ଛାତ୍ର ନେତା ଯୋଗଦେଇ ରାଜ୍ୟ ସରକାରଙ୍କ ଅପାରଗତା ଓ ନାରୀ ହିଂସା ବୃଦ୍ଧି ସହିତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତତସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ କୁଶ ପୁତଳିକା ଦାହ କରିଥିଲେ । ସୌମ୍ୟାଶ୍ରୀଙ୍କ ମୃତ୍ୟୁରେ ଜଡ଼ିତ ଥିବା କଲେଜର ବିଏଡ଼ ବିଭାଗ ମୁଖ୍ୟ ସମୀର ସାହୁ ଓ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ଏବଂ କ୍ଷତିପୂରଣ ବାବଦରେ ସୌମ୍ୟାଶ୍ରୀଙ୍କ ପରିବାରକୁ ୨କୋଟି ଟଙ୍କା ସହାୟତା ପ୍ରଦାନ କରାଯାଉ ବୋଲି ବିନାୟକ ଓ ଅନ୍ୟ କର୍ମୀମାନେ ଦାବି କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ବ୍ଲକ ଉପାଧ୍ୟକ୍ଷ ହର ପ୍ରସାଦ ହେପୃକା, ବରିଷ୍ଠ ନେତା ଚନ୍ଦ୍ରକାନ୍ତ ସାମଲ, ବି. ତିରୁପତି, ବିଜୁ ମହିଳା ଜନତା ଦଳ ଜିଲା ସଭାନେତ୍ରୀ ଶ୍ରମିତା ପାଢୀ, ବିଜୁ ଯୁବ ଜନତା ଦଳ ଜିଲା ସଭାପତି ଅବିନାଶ ବିଶୋଇ, ଛାତ୍ରନେତା ବିନାୟକ ପଲେଇ, ଯୁବନେତା ଶ୍ରୀକାନ୍ତ ଚୌଧୁରୀ, ପପୁ ପ୍ରବୀଣ କୁମାର, ଉଦୟ ହିମିରିକାଙ୍କ ସମେତ କାଉନସିଲର ସୁକାନ୍ତ ପରିଡ଼ା, ସନ୍ତୋଷ ଦଳାଇ, ଗୋପୀନାଥ ଗୌଡ, ପାଲକୋଣ୍ଡା ମମତା, କାଳିଦାସ ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଅପରାହ୍ନରେ କପିଳାସ ଛକରେ ଜିଲା କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲା ଯୁବ କଂଗ୍ରେସ ସଭାପତି ମୋହନ ନାଏକଙ୍କ ନେତୃତ୍ୱରେ ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କ ସହିତ ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ୍ରାକା, ଜିଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଯୁବନେତା ଅଶୋକ ପୁଆଲା, ସତ୍ୟବାନ ମାଣ୍ଡାଙ୍ଗି, ପୂର୍ବତନ ଜିଲା ସଭାପତି ଶଙ୍କର ଜିଲାକାରା, ସମିତି ସଭ୍ୟ ଭୂଷଣ ବିଡ଼ିକାଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଉପସ୍ଥିତ ନେତା ଓ କର୍ମୀ ରାଜ୍ୟ ସରକାରଙ୍କ ନାରୀ ହିଂସା ବୃଦ୍ଧି ଓ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ ସହିତ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏତଦବ୍ୟତିତ ଏହି ମାମଲାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଯୁବ କଂଗ୍ରେସ ।
