ବାହାଗନା ଟ୍ରେନ୍ ଟ୍ରାଜେଡି : ତିନି ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ବର୍ଷେ ପରେ ବାହାନଗା ଟ୍ରେନ୍‌ ଟ୍ରାଜେଡିର ୩ ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ଓଡିଶା ହାଇକୋର୍ଟ ୩ ରେଳ କର୍ମଚାରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜାମିନ୍ ପାଇଥିବା ୩ ଅଭିଯୁକ୍ତ ହେଲେ ମହମ୍ମଦ ଅମୀର ଖାନ, ଅରୁଣ କୁମାର ମହନ୍ତ ଓ ପପୁ କୁମାର।ମାମଲାର ବିବରଣୀରୁ ପ୍ରକାଶ ଯେ ବାହାନଗା ଘଟଣାରେ ରେଳ ବିଭାଗ କର୍ମଚାରୀ ସୋରର ସିନିୟର ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ, ସିନିୟର ସେକ୍ସନ ଇଂଜନିୟର (ସିଗନାଲ) ଅରୁଣ କୁମାର ମହନ୍ତ, ଟେକନିସିଆନ ପପୁ କୁମାରଙ୍କୁ ସିବିଆଇ ଗିରଫ କରିଥିଲା।

ତଦନ୍ତ ପରେ ସିବିଆଇ ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ବାହାନଗା ଟ୍ରେନ୍‌ ଟ୍ରାଜେଡି ମାମଲାରେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ତିନି ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ତିନି ‌ଆବେଦନକାରୀଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।୨୦୨୩ ମସିହା ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା। ସନ୍ଧ୍ୟା ପ୍ରାୟ ୭ଟା ବେଳେ ହାୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ମାଲଗାଡ଼ିକୁ ଧକ୍କା ଦେଇ ଅନ୍ୟ ଟ୍ରାକ୍‌ରେ ଆସୁଥିବା ଯଶୱନ୍ତପୁର ହାୱଡ଼ା ସୁପରଫାଷ୍ଟ ଟ୍ରେନ୍‌ ଉପରେ ପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ। ସେଥିରୁ ଅନେକ ଲୋକ ପଙ୍ଗୁ ହୋଇଯାଇଥିବା ଜଣାପଡ଼ିଛି।

ଅଧିକ ପଢନ୍ତୁ

Odisha Darpan Digital