ବାହାନଗା ଟ୍ରେନ ଦୁର୍ଘଟଣାକୁ ପୁରିଛି ଦୁଇ ବର୍ଷ । ଆଜି ବି ସେ କାଳରାତି କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠୁଛି । ୨୦୨୩ ଜୁନ୍ ୨ ଶୁକ୍ରବାର, ସମୟ ପାଖାପାଖି ୭ଟାରେ ହୋଇଥିଲା ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା । ମାଲ୍ ବାହୀ ଟ୍ରେନ୍, କରମଣ୍ଡଳ ଏକ୍ସପ୍ରେସ୍ ଓ ଯଶୋବନ୍ତପୁର ଏକ୍ସପ୍ରେସ୍ ମଧ୍ୟରେ ଦୁର୍ଘଟଣା ଘଟି ଛାରଖାର ହୋଇଯାଇଥିଲା ଅନେକ ଧନ ଜୀବନ । ସାରା ବିଶ୍ବକୁ ସ୍ତବ୍ଧ କରିଥିଲା କରମଣ୍ଡଳ ଟ୍ରେନ ଦୁର୍ଘଟଣା । କୁଢ଼ କୁଢ଼ ଶବ ଭିତରେ କିଏ ପୁଅକୁ ଖୋଜୁଥିଲା ତ କିଏ ନିଜ ପରିବାର ସଦସ୍ୟଙ୍କ ଫଟୋକୁ ଦେଖାଇ ପଚାରୁଥିଲା । ଖଣ୍ଡ ବିଖଣ୍ଡିତ ଶବକୁ ଦେଖି ଅନେକ ପରିଜନ ଚେତାଶୂନ୍ୟ ହୋଇଯାଉଥିଲେ । ଶବର ଶେଷ ଠିକଣା ହସ୍ପିଟାଲ ହୋଇଥିଲେ ବି ଏ ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଶବକୁ ଚିହ୍ନି ପାରୁନଥିଲେ ପ୍ରିୟ ପରିଜନ । ଯାହାଫଳରେ କିଛି ଶବ ପଡୋଶୀ ରାଜ୍ୟକୁ ଚାଲିଯାଇଥିଲା, ଆଉ କିଛି ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ଘୂରି ବୁଲୁଥିଲା।
ବାଲେଶ୍ୱରର ବାହାନଗାଠାରେ ଘଟିଲା ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍ ଟ୍ରାଜେଡି । କିଏ ଟ୍ରେନ୍ ଚକ ତଳେ ରହିଗଲା, କିଏ ବଗିରେ ଚାପି ହୋଇଯାଇଥିଲା ତ ଆଉ କିଏ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବଗି ଭିତରେ ହିଁ ଶବ ପାଲଟିଗଲା । ବାହାନଗା ଟ୍ରାକରେ ଏବେ ବି ଟ୍ରେନ୍ ଗଡିଲେ ଯାତ୍ରୀଙ୍କ ମନରେ ଛନକା ପଶିଯାଏ । ଲୋମ ଟାଙ୍କୁରି ଉଠେ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା । ସ୍ଥଳସେନା, ବାୟୁସେନା, ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍, ଏନ୍ ଡିଆରଏଫ୍ ଟିମ୍ ସହ ମୋଟ ୧୨ ଶହରୁ ଅଧିକ ପୋଲିସ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ବିପତ୍ତି ସମୟରେ ବାଲେଶ୍ବରବାସୀ ଯେଉଁଭଳି କାର୍ଯ୍ୟ କରିଥିଲେ ତାହା ଉଦାହରଣ ସୃଷ୍ଟି କରିଥିଲା । ସାଉଁଟି ଥିଲା ପ୍ରଶଂସା । ଆଜି ବି କିଛି ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ଆଜି ବି ମିଳିପାରି ନାହିଁ ।