ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା । ନୂଆ ପରମିଟ୍ ପ୍ରଦାନ କରାଯିବ ନାହିଁ । ମାଲିକାନା ହସ୍ତାନ୍ତର କିମ୍ବା କୌଣସି କର ଗ୍ରହଣ ଉପରେ ମଧ୍ୟ ଅଙ୍କୁଶ । ୧୯ ଜୁଲାଇ ୨୦୨୩ ଏସଟିଏ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୧୯ ଜୁଲାଇ ୨୦୨୩ରେ ରାଜ୍ୟ ପରିବହନ ପ୍ରାଧିକରଣର ୩୦୧ ତମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହହି ନିର୍ଦ୍ଦେଶନାମା ଅନୁଯାୟୀ, ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଥିବା ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡି ଗୁଡିକର ଓଡିଶା ମଧ୍ୟକୁ ପ୍ରବେଶ ପରିଚାଳନା ଉପରେ କଟକଣା ଲାଗୁ କରାଯାଇଛି । ଏଥିସହିତ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହିପରି ପୁରୁଣା ଗାଡି ଗୁଡିକର ଠିକଣା ପରିବର୍ତ୍ତନ ମାଲିକାନା ହସ୍ତାନ୍ତର କିମ୍ବା କୌଣସି ପ୍ରକାରର ପରିବହନ ଟ୍ୟାକ୍ସ ଗ୍ରହଣ କରାଯାଇପାରିବ ନାହିଁ । ସମସ୍ତ ଆରଟିଓ ଓ ଏଆରଟିଓ ମାନଙ୍କୁ ଏହି ସଂସ୍କାରମୂଳକ ନିଷ୍ପତ୍ତିକୁ କଡାକଡି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ସଡକ ସୁରକ୍ଷା ମାନଦଣ୍ଡରେ ଉନ୍ନତି ଆସିବ । ସଡକରେ ଅନୁପଯୁକ୍ତ ଗାଡି ହ୍ରାସ ପାଇବ ଏବଂ ପୁରୁଣା ଗାଡି ଜନିତ ପ୍ରଦୂଷଣ ମଧ୍ୟ ହ୍ରାସ ହେବ ବୋଲି ବିଭାଗ ଲକ୍ଷ୍ୟ ରଖିଛି ।
