ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାକୁ ଅଙ୍କୁଶ ଲଗାଇଲେ ହାଇକୋର୍ଟ

ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାକୁ ହାଇକୋର୍ଟଙ୍କ ଝଟକା ଲାଗିଛି । ଯୋଜନା କାର୍ଯ୍ୟକାରିତା ଉପରେ ଅଙ୍କୁଶ ଲଗାଇଲେ କୋର୍ଟ ।ଏହି ଯୋଜନାକୁ ଚା‌ଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ଜବାବ ଦାଖଲ ପାଇଁ ଇଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା କାର୍ଯ୍ୟକାରୀ ପ୍ରସଂଗରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି । ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁରୀ ଜିଲ୍ଲା କଣାସ ଅଞ୍ଚଳର ପ୍ରତାପ ପରିଡ଼ାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସୂଚନାମୁତାବକ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ରାଜ୍ୟ ସରକାର ଚଳିତ ବର୍ଷ ପ୍ରାରମ୍ଭରେ ଆରମ୍ଭ କରିଥିଲେ । ଏହି ଯୋଜନାରେ ଗାଁରେ ରାସ୍ତାଘାଟ, ଶିକ୍ଷା ଭିତ୍ତିଭୂମି, ଗୋଷ୍ଠୀ ସଂପତ୍ତି, ପୂଜାପାଠ ସ୍ଥାନର ଉନ୍ନତିକରଣ କରାଯିବ । ଏଥି ସହିତ ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ପ୍ରକଳ୍ପର ବିକାଶ ହେବ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା । କିନ୍ତୁ ଏହି ଯୋଜନା କାର୍ଯ୍ୟକାରୀ ପ୍ରସଂଗରେ ଗ୍ରାମପଞ୍ଚାୟତ ଓ ଗ୍ରାମସଭାର ଭୂମିକାକୁ ହ୍ରାସ କରାଯାଇଛି ବୋଲି ଅଭିଯୋଗ ହୋଇଛି ।ତେବେ ଅଗଷ୍ଟ ୧୨ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ଅଧିକ ପଢନ୍ତୁ

kc ads