ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଏମକେସିଜି ମେଡିକାଲରୁ ଆଜି ଡିସଚାର୍ଜ କରାଯାଇଛି। ବିକ୍ରମଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲେ ମଧ୍ୟ ତାଙ୍କୁ ଜୋର ଜବରଦସ୍ତି ଡିସଚାର୍ଜ କରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏମକେସିଜିରୁ ବାହାରିବା ପରେ ତାଙ୍କୁ ପୁଣି ଥରେ ବ୍ରହ୍ମପୁର ମଣ୍ଡଳ କାରଗାରକୁ ପଠାଇ ଦିଆଯାଇଛି ।ମ୍ପୁର୍ଣ୍ଣ ସୁସ୍ଥ ନାହାନ୍ତି ବିକ୍ରମ । ଏମକେସିଜି କର୍ତ୍ତୃପକ୍ଷ ଚାପରେ ଡିସଚାର୍ଜ କରିଛନ୍ତି । ବିକ୍ରମଙ୍କ ଅଧିକାର କ୍ଷୁର୍ଣ୍ଣ ହୋଇଛି, ଏନେଇ ଆଇନର ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ପରିବାର ଲୋକେ ।
ଜେଲରେ ଥିବା ସମୟରେ ବିକ୍ରମ ପଣ୍ଡାଙ୍କ ପେଟରେ ଯନ୍ତ୍ରଣା ହେବା ପରେ ସେ କୋର୍ଟଙ୍କ ଅନୁମତି କ୍ରମେ ତାଙ୍କୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବିକ୍ରମଙ୍କ ଚିକିତ୍ସା ପାଇଁ ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା। ତାଙ୍କ ଶରୀରରେ ଗଲ୍ବ୍ଲାଡର୍ ଷ୍ଟୋନ୍ ଏବଂ ପାଇଲସ୍ ଭଳି ସମସ୍ୟା ଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା।ଆଜି ମେଡିକାଲ ପକ୍ଷରୁ ବିକ୍ରମଙ୍କ ଅସ୍ତ୍ରୋପଚାର ପାଇଁ ଅନୁମତି ଲୋଡା ଯାଇଥିଲା। ୧ଘଣ୍ଟା ଭିତରେ ପରିବାର ଲୋକଙ୍କ ସହ କଥା ହୋଇ ଜଣାଇବି ବୋଲି ବିକ୍ରମ କହିଥିଲେ । ହେଲେ ହଠାତ୍ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରି ପୁଲିସ କର୍ମଚାରୀମାନେ ଜେଲ ଅଭିମୁଖେ ନେଇଯାଇଥିଲେ ।
