ବିଜେଡି କାର୍ଯ୍ୟାଳୟ ଫଳକରେ ଲାଗିଲା ଚୂନନୂଆଁ ସଭାପତି ପଦ ଘୋଷଣା ପରେ ପଦାରେ ପଡ଼ିଲା ଦୁଇ ଗୋଷ୍ଠୀ ଭିତର ଅସନ୍ତୁଷ୍ଟି !

ରାୟଗଡ଼ା ତା ୦୬/୦୯ (ନିପ୍ର) ରାୟଗଡ଼ା ଜିଲ୍ଲାରେ ବିଜେଡି ଦଳର ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଷମକଟକ ନିର୍ବାଚନୀ ମଣ୍ଡଳୀର ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ନାଁ ଘୋଷଣା ହେବା ପରେ ରାୟଗଡ଼ା ରେ ହୋଟେଲ ତେଜସ୍ଵୀ ସମ୍ମୁଖରେ ଥିବା ବିଜୁ ଜନତା କାର୍ଯ୍ୟାଳୟ ଫଳକ ଉପରେ ଚୂନ ମରାଯିବା ଘଟଣା ପୁଣି ଜିଲ୍ଲାରେ ସୁଧୀର ଗୋଷ୍ଠୀ ଓ ଭାସ୍କର ଗୋଷ୍ଠୀର କନ୍ଦଳକୁ ପଦାରେ ପକାଇ ଦେଇଛି । ସୂଚନା ମୁତାବକ ୨୦୨୪ ସାଧାରଣ ନିର୍ବାଚନ ସମୟରେ ଦଳ ସୁଧିରଙ୍କ ସଭାପତିରୁ ହଟାଇ ଭାସ୍କରଙ୍କୁ ଦେଇଥିଲା। ଭାସ୍କର ଜିଲ୍ଲା ସଭାପତି ଦାୟିତ୍ୱ ସମ୍ଭାଳିବା ପରେ ଏହି କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସଭାପତି ପଦ ଜଗନ୍ନାଥ ସାରକା ଅର୍ଥାତ୍ ସୁଧିର ଗୋଷ୍ଠୀକୁ ଯିବା ପରେ ଏହି କାର୍ଯ୍ୟାଳୟର ଫଳକରେ ଚୂନ ମାରିବା ଘଟଣା ସ୍ପଷ୍ଟ କରିଦେଉଛି ଯେ ଭାସ୍କର ଗୋଷ୍ଠୀ ଅସନ୍ତୁଷ୍ଟ ହେବା ସହ ଦଳର ସୁପ୍ରିମୋଙ୍କ ନିଷ୍ପତ୍ତିରେ ଖୁସି ନଥିବା ଭଳି ଲାଗୁଛି । ଗତ ନିର୍ବାଚନରେ ଏହି ଦୁଇ ପକ୍ଷର ଗୋଷ୍ଠି କନ୍ଦଳ ଯୋଗୁଁ ଜିଲ୍ଲାରେ ତିନୋଟି ବିଧାନସଭା ଓ ଗୋଟିଏ ସଂସଦୀୟ କ୍ଷେତ୍ରରେ ଦଳର ବିପର୍ଯ୍ୟୟ ଘଟିଥିବା ବେଳେ କଂଗ୍ରେସ ହାତକୁ ଚାଲିଯାଇଥିଲା ସମସ୍ତ ତିନୋଟି ବିଧାନସଭା ଆସନ। ବର୍ତ୍ତମାନ ରାଜ୍ୟ ବିଜେଡି ସୁପ୍ରିମୋ ଜଗନ୍ନାଥଙ୍କୁ ଜିଲ୍ଲାର ସଭାପତି ଦାୟିତ୍ୱ ଦେଇଥିବା ବେଳେ ଭାସ୍କରଙ୍କ ଗୋଷ୍ଠୀର ଗଙ୍ଗାଧର ପୁଆଲା ଓ ଗୁଣୁପୁର ରଞ୍ଜିତ ପାଣିଗ୍ରାହୀଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦେଇ ଦୁଇ ଗୋଷ୍ଠୀ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଭାପତି ଚୟନ ପରେ କାର୍ଯ୍ୟାଳୟ ଫଳକରେ ଏହି ଚୁନମରା କାର୍ଯ୍ୟ ଦଳରେ ଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମତାନ୍ତର ଓ କନ୍ଦଳକୁ ପଦାରେ ପକାଇ ଦେଇଥିବା ନେଇ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଧିକ ପଢନ୍ତୁ