ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ନିତିନ ନବୀନ । ପ୍ରାୟ ମାସେ ଧରି ଦଳର କାର୍ଯ୍ୟକାରୀ ସଭାପତି ରହିବା ପରେ, ଆଜିଠୁ ବିଧିବଦ୍ଧ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବନିବେ । ନୀତିନ ନବୀନ ୪୫ ବର୍ଷ ବୟସରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିବେ। ପୂର୍ବରୁ, ଅମିତ ଶାହା ୪୯ ବର୍ଷ ବୟସରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ନାମାଙ୍କନ ପାଇଁ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦେଖିବାକୁ ମିଳିଥିଲା ନେତାଙ୍କ ଭିଡ଼। ବରିଷ୍ଠ ନେତାମାନଙ୍କ ଗହଣରେ ଯାଇ ନିତିନ ନବୀନ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ପ୍ରାର୍ଥିତ୍ବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, ନିତିନ ଗଡ଼କରୀ ପ୍ରମୁଖ ବରିଷ୍ଠ ନେତା ସମର୍ଥନ କରିଥିଲେ ।ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ତାଙ୍କ ନାଁ ଘୋଷଣା କରାଯିବ। ବେଶ୍ କିଛିଦିନ ଧରି ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ସଭାପତିଙ୍କୁ ନେଇ ସସପେନ୍ସ ଲାଗିରହିଥିଲା। କିନ୍ତୁ ଗତ ମାସରେ ନିତିନ ନବୀନଙ୍କୁ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯିବା ପରେ ସ୍ପଷ୍ଟ ସଂକେତ ମିଳିଥିଲା ଯେ ସେ ହିଁ ବିଜେପି ରାଷ୍ଟ୍ରୀୟ ସଭାପତି ହେବେ ।ସୂଚନାଯୋଗ୍ୟ, ଦଳର ପ୍ରଥମ ସଭାପତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଥିଲେ। ସେ ୧୯୮୦ ରୁ ୧୯୮୬ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ଏହା ପରେ, ଲାଲକୃଷ୍ଣ ଆଡଭାନୀଙ୍କୁ ଦଳର ଜାତୀୟ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା। ସେ ୧୯୮୬ ରୁ ୧୯୯୦, ୧୯୯୩ ରୁ ୧୯୯୮ ଏବଂ ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଭାଜପାର ତୃତୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ ଡକ୍ଟର ମୁରଲୀ ମନୋହର ଯୋଶୀ। ସେ ୧୯୯୧ ରୁ ୧୯୯୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସେହିପରି କୁଶାଭାଉ ଠାକରେ, ବାଙ୍ଗାରୁ ଲକ୍ଷ୍ମଣ, କେ. ଜନ କୃଷ୍ଣମୂର୍ତ୍ତି, ଏମ. ଭେଙ୍କେୟା ନାଇଡୁ, ନୀତିନ ଗଡକରୀ, ରାଜନାଥ ସିଂହ, ଅମିତ ଶାହା ଏବଂ ଜଗତ ପ୍ରକାଶ ନଡ୍ଡା ବିଭିନ୍ନ ସମୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି।
