ପରୀକ୍ଷା ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ | ଶୁକ୍ରବାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ପାରିତ ହୋଇଛି। ଏହି ବିଲ ମୁତାବକ, ଯଦି କୌଣସି ବ୍ୟକ୍ତି ବା ବ୍ୟକ୍ତିମାନେ ଏହି ଅଧିନିୟମ ଅଧୀନରେ ଅନୁଚିତ ସାଧନ ଏବଂ ଅପରାଧ ଅବଲମ୍ବନ କରନ୍ତି, ତେବେ ସେ ଅତି କମରେ ତିନି ବର୍ଷ ଠାରୁ ଆରମ୍ଭ କରି ପାଞ୍ଚ ବର୍ଷ ପର୍ୟ୍ୟନ୍ତ କାରାବାସ ଏବଂ ଦଶ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନାରେ ଦଣ୍ଡିତ ହେବେ । ଜୋରିମାନା ପ୍ରଦାନରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବ୍ୟବସ୍ଥା ଅନୁସାରେ ଅତିରିକ୍ତ କାରାବାସରେ ଦଣ୍ଡିତ କରାଯିବ । ସେବା ଯୋଗାଣକାରୀ ଗଫଲତି କଲେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ ହେବେ।
ସେବା ଯୋଗାଣକାରୀ ସଂସ୍ଥାଠାରୁ ପରୀକ୍ଷା ଖର୍ଚ୍ଚ ମଧ୍ଯ ଆଦାୟ କରାଯିବ। ଏପରିକି ସଂପୃକ୍ତ ସଂସ୍ଥାକୁ ଚାରି ବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପରୀକ୍ଷା ସଂଚାଳନ ପାଇଁ କୌଣସି ଦାୟିତ୍ବ ଦିଆଯିବନି। ଯଦି କୌଣସି ଅନୁଷ୍ଠାନ ସଂଗଠିତ ଅପରାଧ କରିବାରେ ସମ୍ପୃକ୍ତ ଥିବ, ତା’ହେଲେ ତା’ର ସମ୍ପତ୍ତି ଜବତ କରାଯିବ ଓ ବାଜ୍ୟାପ୍ତ କରାଯିବ ଏବଂ ସେଥୁରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ। ଏହି ଧାରାରେ ଥିବା କୌଣସି ବିଷୟ ସେପରି କୌଣସି ବ୍ୟକ୍ତିଙ୍କୁ ଏହି ଅନିୟମ ଅନୁଯାୟୀ କୌଣସି ଦଣ୍ଡ ପାଇଁ ଦାୟୀ କରିବ ନାହିଁ, ଯଦି ସେ ପ୍ରମାଣ କରନ୍ତି ଯେ ସେହି ଅପରାଧ ତାଙ୍କ ଅଜାଣତରେ କରାଯାଇଥିଲା ଏବଂ ସେ ଏଭଳି ଅପରାଧକୁ ରୋକିବା ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିଥିଲେ ।