ବିଧାନସଭାରେ ବିଜେପିର ଦଳୀୟ କାର୍ଯ୍ୟକ୍ରମ କହି ବର୍ଷିଲା ବିଜେଡି

ଟ୍ରେନିଂ ନେବେ ବିଧାନସଭାର ନବ ନିର୍ବାଚିତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ପ୍ରମୁଖ ନୂଆ ବିଧାୟକଙ୍କୁ ବିଧାନସଭାର କାର୍ଯ୍ୟବିଧି ଓ ଦାୟିତ୍ୱ ସମ୍ପର୍କରେ ଟ୍ରେନିଂ ଦେବେ । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ନୂଆ ବିଧାୟକ ।ତେବେ ବିଧାନସଭାରେ ବିଧାୟକଙ୍କୁ ଦିଗଦର୍ଶନ ନାଁରେ ଦଳୀୟ କାର୍ଯ୍ୟକ୍ରମ କହି ବିଜେପି ଉପରେ ବର୍ଷିଛି ବିଜେଡି। ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ କାର୍ଯ୍ୟକ୍ରମ ପାଇଁ ସଚିବ ପଠାଇଛନ୍ତି ଏକ ପତ୍ର।

ନବ ନିର୍ବାଚିତ ବିଧାୟକଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ପତ୍ରରେ ଦର୍ଶାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ବିଧାନସଭା ପରମ୍ପରା ଭଙ୍ଗ ହେଉଥିବା ବିଜେଡି ଅଭିଯୋଗ କରିଛି। ଦଳୀୟ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀ କରି ଦଳର ବରିଷ୍ଠ ନେତା ପ୍ରତାପ ଦେବ ଓ ବିଧାୟକ ଗଣେଶ୍ୱର କହିଛନ୍ତି ଯେ ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଏହି କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନୀରେ ଅତିଥି ହେବା କଥା। କିନ୍ତୁ ପତ୍ର ଅନୁସାରେ ଗୃହର ସଦସ୍ୟ ନଥିଲେ ବି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କିପରି ଉଦଘାଟନ କରିବେ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ସେହିପରି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କାର୍ଯ୍ୟକ୍ରମ ଯୋଗଦେବା ନେଇ ମଧ୍ୟ ପ୍ରଶ୍ନ କରିଛି ବିଜେଡି। ତେବେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବନି ବିଜେଡି । ଏନେଇ ପ୍ରେସମିଟ୍‌ କରି ଖୋଲାଖୋଲି ମନା କରିଛି ଦଳ।

ଅଧିକ ପଢନ୍ତୁ