ଓଡ଼ିଶା ବିଧାନସଭାରେ ଆଜି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାୟ ୧୫ ବର୍ଷ ପରେ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି। ସପ୍ତଦଶ ବିଧାନସଭାର ୫ମ ଅଧିବେଶନ ତଥା ଶୀତକାଳୀନ ଅଧିବେଶନ-୨୦୨୫ର ପ୍ରଥମ ଦିନରେ ବିଧାୟକ, ଅଧିକାରୀ ଓ ନିମନ୍ତ୍ରିତ ଅତିଥିମାନେ ତତ୍କାଳୀନ ରାଇରଂଗପୁର ବିଧାୟକ ତଥା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଭାଷଣ ନିଜ ସାମ୍ନାରୁ ଶୁଣିବାକୁ ପାଇପାରିଛନ୍ତି।ଐତିହାସିକ ମୂହୂର୍ତ୍ତର ମୂକସାକ୍ଷୀ ହୋଇଛି ବିଧାନସୌଧ। ପ୍ରଥମ ଥର ପାଇଁ ବିଧାନସଭାକୁ ସମ୍ବୋଧନ କଲେ ମହାମହିମ। ରାଷ୍ଟ୍ରପତି କହିଛନ୍ତି ଯେ, ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ଆନନ୍ଦିତ। ମୋତେ ହୋମ୍ କମିଂ ଭଳି ଲାଗୁଛି। ମା’ଟି ମୋର କେଡେ ନିଜର ତା ସରି କେହି ନାହିଁ, ତା ପାଦ ଧୂଳି ଚନ୍ଦନ ଭଳି ମଥାରେ ଦିଏ ମୁଁ ବୋଳି। ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧନ କରିଛି। ଆଜି ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ମୋ ପାଇଁ ଖୁସିର ବିଷୟ। ମୁଁ ଗାଁରୁ ଏକ ସାଧାରଣ ଝିଅ ହୋଇ ଆସିଥିଲି। ଏ ଗୃହ ମୋତେ କଥା କହିବା ଶିଖାଇଛି। ଆଜି ମୁଁ ଯେଉଁଠି ପହଞ୍ଚି ସେଥିପାଇଁ ସବୁ ଶ୍ରେୟ ଏହି ଗୃହର। ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କ ଆଶିର୍ବାଦ ନଥିଲେ ମୁଁ ଆଜି ଏହି ସ୍ଥାନରେ ପହଞ୍ଚି ପାରି ନଥାନ୍ତି।
ଏ ଗୃହରେ ମୁଁ ବିଧାୟକ ଭାବେ ପ୍ରଶ୍ନ କରିଛି। ମନ୍ତ୍ରୀ ଭାବରେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେଇଛି। ବିଭିନ୍ନ ସ୍ଥାୟୀ କମିଟିର ସଦସ୍ୟ ଓ ଅଧ୍ୟକ୍ଷ ଭାବରେ ମୁଁ ମୋର ଚିନ୍ତାବ୍ୟକ୍ତ କରିଛି।
