କଟକ ଶିଶୁଭବନରେ ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ପଦ୍ଧତିରେ ଏକ ଶିଶୁର ଶ୍ବାସ ନଳୀରୁ ଦେଢ ଇଞ୍ଚ ଲମ୍ବ ଏକ ଲୁହା କଣ୍ଟା ବାହାର କରାଯାଇଛି। ଶିଶୁଟି ଏବେ ସୁସ୍ଥ ଥିବା ବେଳେ ଜୀବନ ପ୍ରତି କୌଣସି ବିପଦ ନ ଥିବା ଡାକ୍ତରୀ ଟିମ୍ ପକ୍ଷରୁ କୁହାଯାଇଛି ।ସୂଚନାଯୋଗ୍ୟ, ଯାଜପୁରଜିଲ୍ଲା କାଳିଆପାଣି ଥାନା ଗିରିଙ୍ଗାମାଳିର ଦୁର୍ଗା ପୂର୍ତ୍ତୀଙ୍କ ୬ ବର୍ଷର ପୁଅ ବିନୁ ଖେଳୁଥିବା ବେଳେ କଳଙ୍କି ଲଗା କଣ୍ଟାକୁ ଢୋକି ଦେବାରୁ ତାହା ଶ୍ବାସନଳୀରେ ଅଟକି ଯାଇଥିଲା । ଗତ ୨୩ ତାରିଖରେ ଏହି ଘଟଣା ଘଟିଥିଲା । ଶ୍ବାସକ୍ରିୟାରେ ଯନ୍ତ୍ରଣା ହେବାରୁ ଶିଶୁଟିକୁ ତାର ପରିବାର ଲୋକେ ପ୍ରଥମେ ସୁକିନ୍ଦାରେ ଥିବା ଏକ ସରକାରୀ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସି ନ ଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ୍ସ-ରେ କରିବା ସମୟରେ ଶ୍ବାସନଳୀରେ ଏକ କଣ୍ଟା ଥିବା ଜଣାପଡ଼ିଥିଲା । ପରେ ବାରମ୍ବାର କାଶ ହେବାରୁ ତାକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା। ଏହାପରେ ବିନୁକୁ ଗତ ୨୪ ତାରିଖରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ଫଳରେ ବ୍ରୋଙ୍କୋସ୍କୋପିର ସହାୟତାରେ କଣ୍ଟା କଢ଼ାଯାଇଛି। ଶିଶୁଟି ଏବେ ସୁସ୍ଥ ଅଛି।
