ନୟାଗଡ଼,(ଓଡିଶା ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ସେହି ଓଡିଶାର ମହାନାୟକ ଗାନ୍ଧୀ ଙ୍କ ପ୍ରିୟ ଓଡିଆ ଶ୍ରୀ ମିଶ୍ର ଙ୍କର ୧୩୩ ତମ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ଆଜି ନୟାଗଡ଼ ବ୍ଳକ ସଭାଗୃହରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟପୂଜା କମିଟି ନୟାଗଡ଼ ର ସଭାପତି ପ୍ରଫେସର ରାମଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିଛବିରେ ଧୂପ ଓ ପୁଷ୍ପମାଲ୍ୟାର୍ପଣ କରି ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଥିଲେ ସ୍ବାଧୀନତା ସଂଗ୍ରାମର ଏକ ଅନିର୍ବାଣ ଅଗ୍ନିଶିଖା ବୋଲି କହିବା ସହିତ ପିତାଙ୍କ ଅସମ୍ମାନ, ପୁତ୍ର ପାଇଁ ଯେଭଳି ଦୁଃଖ ଦାୟକ ସେହିପରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ ଆମ ସମସ୍ତଙ୍କ ପାଇଁ ଦୁଃଖ ଦାୟକ।
ଏ ଦିଗରେ ସମସ୍ତ ଭାରତୀୟ ସଚେତନ ହେବା ଜରୁରୀ ଆବଶ୍ଯକ ଏବଂ ସେହି ଗାନ୍ଧୀବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ସ୍ମ୍ରୁତି ରକ୍ଷା ହିଁ ଆମ ସମସ୍ତଙ୍କର ଜାତୀୟ କର୍ତ୍ତବ୍ଯ ବୋଲି ନିବେଦନ କରିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଳକର ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ ଓ ନୟାଗଡ଼ ପୌରପରିଷଦର ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗ ଦେଇଥିଲେ। ସଭାକାର୍ଯ୍ୟକୁ ପୂଜ୍ୟପୂଜା କମିଟିର କୋଷାଧ୍ୟକ୍ଷ ଶ୍ରୀଧର ସାହୁ ସଂଯୋଜନା କରିଥିଲାବେଳେ କମିଟିର ସଂପାଦକ ଅରୁଣ କୁମାର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ନୟାଗଡ଼ ପୌରାଞ୍ଚଳର ବିଭିନ୍ନ ମାର୍ଗ ଗୁଡିକୁ ନୟାଗଡ଼ର ମହାପୁରୁଷ ମାନଙ୍କ ନାମରେ ନାମିତ କରିବା ପାଇଁ ଅତିଥି ମାନଙ୍କୁ ନିବେଦନ କରିଥିଲେ। ମୁଖ୍ଯ ଅତିଥି ଶ୍ରୀଯୁକ୍ତ ସାହୁ ନୟାଗଡ଼ ଜିଲ୍ଲାର ସମସ୍ତ ମହାପୁରୁଷ ମାନଙ୍କ ଜୀବନୀ ସମ୍ବଳିତ ଏକ ପୁସ୍ତକ ପ୍ରକାଶ କରିବା ପାଇଁ ପୂଜ୍ୟପୂଜା କମିଟିକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ସଂସ୍କୃତ ବିକାଶ ପରିଷଦ, ତଥାସ୍ତୁ,ପରମ୍ପରା,ଭାରତ ବିକାଶ ପରିଷଦ,ରୋଟାରୀ କ୍ଳବ,ଜିଲ୍ଲା ଲେଖକ ପରିଷଦ,ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା,ସିଭିଲ ସୋସାଇଟି,ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ବରିଷ୍ଠ ନାଗରିକ ମଞ୍ଚ,ନୟାଗଡ କ୍ଳବ,ସମର୍ପଣ ବୃଦ୍ଧାଶ୍ରମ ଆଦି ବହୁ ସାମାଜିକ ଅନୁଷ୍ଠାନ ମାନେ ଯୋଗଦେବା ସହିତ ସାହିତ୍ୟ ଏକାଡେମୀ ସଦସ୍ଯ ଅଶୋକ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ଯ କ୍ଷୀରୋଦ ମହାପାତ୍ର, ସୁବାସ ଚନ୍ଦ୍ର କଅଁର ଓ ସରୋଜ କୁମାର ରଣସିଂହ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶହେରୁ ଉର୍ଦ୍ଧ ଲୋକ ଭାଗ ନେଇ ଥିଲାବେଳେ ପୂଜ୍ୟପୂଜା କମିଟିର ସଦସ୍ଯ ଶରତଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।