
ନୟାଗଡ଼,(ଓଡ଼ିଶା ଦର୍ପଣ):ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ମିଶ୍ର ଙ୍କର ତିରୋଧାନ ଦିବସ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ଓ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ, ନୟାଗଡ଼ଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ, ନୟାଗଡ଼ର ସଭାପତି ପ୍ରସନ୍ନ କୁମାର ପଣ୍ଡାଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ମୁଖ୍ଯ ଅତିଥି ସାରଗର୍ଭକ ଆଲୋଚନା କରି ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଥିଲେ ଦଶପଲ୍ଲା ଗଡଜାତର ପ୍ରଥମ ବିଧାୟକ, ନୟାଗଡ଼ ଜିଲ୍ଲାର ପ୍ରଥମ ରାଜ୍ଯ ସଭା ସଦସ୍ଯ ଓ ତିନି ତିନିଥର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ପ୍ରଥମ ଓଡିଆ ପ୍ରାବନ୍ଧିକ ବୋଲି କହିବା ସହିତ ଅଧୁନା ଛାତ୍ରଛାତ୍ରୀ ମାନେ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜୀବନୀ ବିଷୟରେ ପାଠ ପଢିବାକୁ ଅନୁରୋଧ କରିଥିଲେ। ଗାନ୍ଧୀବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ସ୍ମୃତି ଚାରଣ ହିଁ ଆମ ସମସ୍ତଙ୍କର ଜାତୀୟ କର୍ତ୍ତବ୍ଯ ବୋଲି ସମସ୍ତଙ୍କୁ ନିବେଦନ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇ ପୂଜ୍ୟ ବିପ୍ଳବୀଙ୍କର ସ୍ମୁତିଚାରଣ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜୀବନୀ ଆଧାରିତ ଡିବେଟ ପ୍ରତିଯୋଗିତା କରିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ, ସିଭିଲ ସୋସାଇଟି, ସୋହମ ଆଦି ବହୁ ସାମାଜିକ ଅନୁଷ୍ଠାନ ଯୋଗଦେବା ସହିତ ସମାଜସେବୀ ଅରୁଣ କୁମାର ମହାନ୍ତି, ଅନାଦି ଚରଣ ମହାନ୍ତି,ଗୋଦାବରୀଶ ସାହୁ,ନିରଂଜନ ମିଶ୍ର, କାମାକ୍ଷା ପ୍ରସାଦ ଦାସ, ସୁବଳ ଚରଣ ବେହେରା,ଉଦ୍ଯନାଥ ନାୟକ ଆଦି ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ବିଦ୍ଯାଳୟର ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲା ବେଳେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ ସମ୍ପାଦକ ପ୍ରଦୀପ କୁମାର ସାହୁ ସ୍ବାଗତ ଅଭିଭାଷଣ କରିଥିବା ବେଳେ ବିଦ୍ଯାଳୟ ସଂପାଦକ ଶ୍ରୀଧର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।
