ବିଭିନ୍ନ ସ୍କୁଲ ବୁଲି ସ୍ଥିତି ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ପରୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ବିଭିନ୍ନ ସ୍କୁଲ ବୁଲି ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ ଅଛନ୍ତି କି ନାହିଁ, ମନ୍ତ୍ରୀ ତାହାର ଯାଞ୍ଚ କରିଛନ୍ତି । ଭିତ୍ତିଭୂମିର ବିକାଶ ହୋଇଛି କି ନାହିଁ, ସେନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଏହାକୁ ନେଇ ଅଭିଭାବକଙ୍କ ଠାରୁ ମତାମତ ନେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ପ୍ରଥମ ଦିନର ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି। ଖୁବ୍‌ ଉତ୍ସାହର ସହ ଛାତ୍ରଛାତ୍ରୀ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି।

ପରୀକ୍ଷା ପରିଚାଳନା ଓ କୌଣସି ପ୍ରକାର ଅସୁବିଧା ନ ହେବାକୁ ସମସ୍ତ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ହୋଇଛି। କଡ଼ାକଡ଼ି ଭାବେ ଯାଞ୍ଚ କରିବାକୁ କୁହାଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ଗଠିତ ୪ସ୍ତରୀୟ ସ୍କ୍ବାଡ୍‌ ସହରର ବିଭିନ୍ନ ପରୀକ୍ଷା କେନ୍ଦ୍ର ଗସ୍ତ କରି ଯାଞ୍ଚ କରିଥିଲେ। ପରୀକ୍ଷା କେନ୍ଦ୍ରରେ ଯେମିତି କୌଣସି ଅନିୟମିତତା ନହେବ, ସେଥିପାଇଁ ଫ୍ଲାଇଙ୍ଗ ସ୍କ୍ବାଡ୍, ସେଣ୍ଟ୍ରାଲ୍‌ ଅବଜରଭର୍ ଓ ଜିଲ୍ଲାସ୍ତରୀୟ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। ପୁଣି ସେ କହିଛନ୍ତି ଆମ ସରକାର ଆସିଲା ପରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛୁ । ଖାଲି ପଦବୀ ପୂରଣ ଉପରେ ପ୍ରକ୍ରିୟା ଜାରି ରହିଛି । ବଜେଟରେ ୩୧ ହଜାର କୋଟିର ବ୍ୟବସ୍ଥା କରାଯାଇଛି । ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହେବ । ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି ।’

ଅଧିକ ପଢନ୍ତୁ