ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ୬୦% ସିଟ୍ ମିଳିବ ମାଗଣା । ସିଟ୍ ପାଇଁ ଦେବାକୁ ପଡ଼ିବନି ଅଲଗା ଟଙ୍କା। ଅର୍ଥାତ୍ ସିଟ୍ ଚୟନ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହା ବ୍ୟତୀତ, ଏକାଠି ଟିକେଟ୍ ବୁକ୍ କରୁଥିବା ପରିବାରଗୁଡ଼ିକ ବିମାନରେ ପରସ୍ପର ପାଖରେ ବସିପାରିବେ । ବିମାନ ବିଳମ୍ବ କିମ୍ବା ବାତିଲ ହେଲେ ମଧ୍ୟ ବିମାନ କମ୍ପାନୀଗୁଡ଼ିକୁ ମନଇଚ୍ଛା କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ । ସରକାର ବଡ଼ ପରିବର୍ତ୍ତନ କରି ଏହି ନିୟମ ଲାଗୁ କରିଛନ୍ତି । ଯାତ୍ରୀମାନଙ୍କୁ ଶୋଷଣରୁ ରକ୍ଷା କରିବା ଏବଂ ସେମାନଙ୍କ ଯାତ୍ରାକୁ ଅଧିକ ଆରାମଦାୟକ କରିବା ଏହି ନିୟମର ମୁଖ୍ୟ ଲକ୍ଷ୍ୟ ।
ଯେକୌଣସି ବିମାନରେ ଅତି କମରେ ୬୦ ପ୍ରତିଶତ ସିଟ୍ ଯାତ୍ରୀମାନଙ୍କୁ ମାଗଣାରେ ବାଛିବା ପାଇଁ ସୁବିଧା ଦିଆଯିବ । ପୂର୍ବରୁ ଅଧିକାଂଶ ଭଲ ସିଟ୍ ପାଇଁ ଏୟାରଲାଇନ୍ସ କମ୍ପାନୀମାନେ ଅଧିକ ଟଙ୍କା ନେଉଥିଲେ । ଯଦି ଆପଣ ଗୋଟିଏ PNR (ଏକା ସାଙ୍ଗରେ ଟିକେଟ୍) ରେ ଯାତ୍ରା କରୁଛନ୍ତି, ତେବେ ଏୟାରଲାଇନ୍ସ ଆପଣଙ୍କୁ ପାଖାପାଖି ସିଟ୍ ଦେବାକୁ ଚେଷ୍ଟା କରିବେ । ଏଥିପାଇଁ ଆଉ ଅଲଗା ହୋଇ ବସିବାକୁ ପଡ଼ିବ ନାହିଁ । ଯଦି ଆପଣ ନିଜ ସାଙ୍ଗରେ ବାଦ୍ୟଯନ୍ତ୍ର , ଖେଳ ସାମଗ୍ରୀ କିମ୍ବା ପୋଷା ପ୍ରାଣୀ ନେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ କମ୍ପାନୀମାନଙ୍କୁ ସ୍ପଷ୍ଟ ଏବଂ ସହଜ ନିୟମ ପ୍ରସ୍ତୁତ କରିବାକୁ କୁହାଯାଇଛି ।ବିମାନବନ୍ଦରରେ ଯାତ୍ରୀଙ୍କ ସୁବିଧା ବୃଦ୍ଧି କରିବା ପାଇଁ, ସରକାର ଆଉ ଏକ ପଦକ୍ଷେପ ଆରମ୍ଭ ନେଇଛନ୍ତି । ଯାହାକୁ ଉଡାନ ଯାତ୍ରୀ କାଫେ କୁହାଯାଏ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ଯାତ୍ରୀମାନଙ୍କୁ ସୁଲଭ ଖାଦ୍ୟ ଏବଂ ପାନୀୟ ଯୋଗାଇବା ଲକ୍ଷ୍ୟ ରଖିଛି । ଏହି କାଫେଗୁଡ଼ିକରେ ଚା ଏବଂ ପାଣି ମାତ୍ର ୧୦ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ ହାଲୁକା ଖାଦ୍ୟ ପ୍ରାୟ ୨୦ ଟଙ୍କାରେ ଉପଲବ୍ଧ ହେବ ।
