ଆଇସିସି ଦିନିକିଆ ବ୍ୟାଟର ରାଙ୍କିଂରେ ଶୀର୍ଷ ସ୍ଥାନରୁ ଖସିଲେ ବିରାଟ କୋହଲି । ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜି ୧-୨ରେ ହାରିବା ପରେ ରାଙ୍କିଂରେ ଏହି ପରିବର୍ତ୍ତନ ହୋଇଛି । ନ୍ୟୁଜିଲାଣ୍ଡ ବ୍ୟାଟର ଡାରିଲ ମିଚେଲ୍ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ନିକଟରେ ଶେଷ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୩୪ବର୍ଷୀୟ ମିଚେଲ ଦୁଇଟି ଶତକ ସହ ୩୫୨ ରନ୍ କରିଥିଲେ । ଏହି ମ୍ୟାଚ୍ ସହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ମିଚେଲ ଦିନିକିଆ କ୍ରିକେଟ୍ରେ ଆଉ ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ଦିନିକିଆରେ ୯ଶତକ ହାସଲ କରିବାରେ ବିଶ୍ବର ଚତୁର୍ଥ ଦ୍ରୁତତମ ବ୍ୟାଟର୍ ହୋଇଛନ୍ତି ସେ । ୫୪ ପାଳିରୁ ୯ଟି ଶତକ ହାସଲ କରି ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନନ୍ଡି’ କକ୍ (୫୩), ହାସିମ ଆମଲା (୫୨) ଏବଂ ପାକିସ୍ତାନର ଇମାମ ଉଲ୍ ହକ୍ (୪୮)ଙ୍କ ପଛକୁ ରହିଛନ୍ତି । ଆଇସିସିର ସଦ୍ୟ ପ୍ରକାଶିତ ଦିନିକିଆ ବ୍ୟାଟର୍ ମାନ୍ୟତାରେ ବିଚେଲ ୮୪୫ ପଏଣ୍ଟ୍ ପାଇ ପ୍ରଥମ ସ୍ଥାନରେ ଥିଲା ବେଳେ କୋହଲି ୭୯୫ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି । ଏହି ତାଲିକାର ଶ୍ରେଷ୍ଠ ୧୦ ରହିଥିବା ଅନ୍ୟ ଦୁଇ ଭାରତୀୟ ରୋହିତ ଶର୍ମା (୩) ଓ ଶୁବମନ ଗିଲ୍ ପଞ୍ଚମ ସ୍ଥାନରେ ରହିଛନ୍ତି ।ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଂରେ କେଏଲ୍ ରାହୁଲ କିନ୍ତୁ ଶୀର୍ଷ-୧୦କୁ ଫେରିଛନ୍ତି । ତାଙ୍କ ପଛକୁ ଶ୍ରେୟସ ଆୟର ୧୧ ନମ୍ବରରେ ଅଛନ୍ତି ।
