ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପୁରୀର ବ୍ୟାପକ ବିକାଶ ସମ୍ଭବ ହୋଇଛି । ତାଙ୍କ ସମୟରେ ହିଁ ଶ୍ରୀମନ୍ଦିରର ବିଭିନ୍ନ ବିକାଶ ସମ୍ଭବ ହୋଇଥିବା ବେଳେ ପରିକ୍ରମା ପ୍ରକଳ୍ପ ମଧ୍ୟ ବାସ୍ତବ ରୂପ ନେଇ ପାରିଛି । ଯେଉଁଥିପାଇଁ ଏଥର ମଧ୍ୟ ରଥଯାତ୍ରାକୁ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରିବାକୁ ଆସିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତମାନେ ।ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତାଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ ସେମାନେ ଶ୍ରୀମନ୍ଦିରର ତଥା ପୁରୀ ସହରର ବିକାଶ ପାଇଁ ନବୀନ ପଟ୍ଟନାୟକ ସରକାର ସମୟରେ ହୋଇଥିବା ବିଭିନ୍ନ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ‘ପୁରୀ ପାଇଁ ଆପଣ ବହୁତ କିଛି କରିଛନ୍ତି, ରଥଯାତ୍ରାକୁ ନିଶ୍ଚୟ ଆସିବେ’ ବୋଲି ସେବାୟତମାନେ ଶ୍ରୀ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରିଥିଲେ ।
ଜୁନ୍ ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ପାଳନ କରିବା ପାଇଁ ଶ୍ରୀ ପଟ୍ଟନାୟକ ସେବାୟତ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସାକ୍ଷାତ ସମୟରେ ସାଂସଦ ଶୁଭାଶୀଷ ଖୁଣ୍ଟିଆ ଉପସ୍ଥିତ ଥିଲେ ।