୧୩ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନରୁ ଖୁବଶୀଘ୍ର କଢ଼ାଯିବ ବାଲି । ବିଶ୍ବପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କାଢ଼ିବା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସ୍ଆଇର ପୂର୍ବତନ ଡିଜି ଏକେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍ କମିଟି କୋଣାର୍କ ଗସ୍ତରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବଟିକ କ୍ୟାମେରା ମାଧ୍ୟମରେ ବାଲି ର ସ୍ଥିତି ଅନୁଧ୍ୟାନ କରାଯାଇଥିଲା ।ମାତ୍ର ଏବେ ମନ୍ଦିର ର ପଶ୍ଚିମ ପାର୍ଶ୍ଵ ୱାଲରେ ଏକ ୧୬ ସେଣ୍ଟିମିଟର ର ଟନେଲ ନିର୍ମାଣ କରାଯିବ। ମନ୍ଦିରର ପ୍ରାୟ ୮୦ଫୁଟ ଉଚ୍ଚତାରେ ଏହି ଟନେଲ ନିର୍ମାଣ କାମ ଆରମ୍ଭ ହୋଇଛି । ସର୍ବସମ୍ମତି ପରେ ଏହି ନିଷ୍ପତି ନିଆଯାଇଛି । ସ୍ୱତନ୍ତ୍ର ଡ୍ରିଲ ମାଧ୍ୟମରେ ମନ୍ଦିରର କାନ୍ଥରେ ଟନେଲ ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି । ଦୁଇଦିନ ମଧ୍ୟ ରେ ଏହି ଟନେଲ ଖୋଳା କାମ ସରିବା ପରେ ଗର୍ଭଗୃହ ମଧ୍ୟରେ ଥିବା ବାଲି ର ସ୍ଥିତି ଓ ଭିତରର ପଥର ଅବସ୍ଥା ଓ ଏହାର ଓସାରକୁ ନଜରରେ ରଖି ପର୍ଯ୍ୟାୟ କ୍ରମେ କଢ଼ାଯିବ ବାଲି। କୋଣାର୍କ ସୂର୍ୟ୍ୟମନ୍ଦିର ର ଜଗମୋହନ ମନ୍ଦିର ରୁ ପଥର ଗୋଟେ ପରେ ଗୋଟେ ଖସିବାରୁ ଏହାକୁ ସୁରକ୍ଷିତ ରଖିବା ପାଇଁ ୧୯୦୩ ମସିହାରୁ ୧୯୦୯ ମସିହା ମଧ୍ୟରେ ଜଗମୋହନ ମନ୍ଦିର ର ଗର୍ଭଗୃହ ରେ ସମ୍ପୁର୍ଣ ବାଲି ପୁରାଇ ଦେଇଥିଲେ ତତ୍କାଳୀନ ବୈଷୟିକ ଟିମ୍ । ଏହାର ସମସ୍ତ ପ୍ରବେଶ ପଥ ଗୁଡିକୁ ବନ୍ଦ କରିଦେଇଥିଲେ । ତେବେ ୨୦୨୨ ସେପ୍ଟେମ୍ବରରେ ସୂର୍ଯ୍ୟମନ୍ଦିର ଉତ୍ତର ଦିଗ ପଟ ଗର୍ଭଗୃହ ଦ୍ୱାର ନିକଟରେ ବାସ୍ତୁ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି କାର୍ଯ୍ୟ ଅନୁକୂଳ କରାଯାଇଥିଲା। ୨୦୨୩ ଜାନୁଆରି ୩ରୁ ବାଲିକଢ଼ା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ହେଲେ କୌଣସି କାରଣକୁ ନେଇ ଏହା ବନ୍ଦ ହୋଇଯାଇଥିଲା ।
