ରୋଗୀ ଡାକ୍ତରଖାନା ଆସିବନି, ଏଣିକି ଡାକ୍ତରଖାନା ପହଂଚିବ ରୋଗୀଙ୍କ ପାଖରେ । ଦୁର୍ଘଟଣା ବା ପ୍ରାକୃତିକ ବିପର୍ଯ୍ୟୟ ଯେଉଁଠି ଘଟୁ ନା କାହିଁକି ସେଠି ପହଂଚିଯିବ ଏହି ଡ଼ାକ୍ତରଖାନା । ମାତ୍ର ୮ରୁ ୧୦ ମିନିଟରେ ଯୋଗାଇଦେବ ଚିକିତ୍ସା ସେବା । ଏମ୍ସର ‘ଭୀଷ୍ମ କ୍ୟୁବ୍’। ବିଶ୍ଵର ସବୁଠୁ ଛୋଟ ଜରୁରୀକାଳୀନ ହସ୍ପିଟାଲ। ଗୋଟିଏ କ୍ୟୁବ୍ରେ ୨୦୦ରୁ ଅଧିକ ଲୋକଙ୍କୁ ମିଳିବ ଚିକିତ୍ସା। ଏଥିରେ କ୍ୟୁଆର୍ କୋଡ୍ ବି ରହିବ। ଯେଉଁଥିରେ ସ୍କାନ୍ କଲେ ରୋଗୀଙ୍କୁ ମିଳିଯିବ ସମ୍ପୂର୍ଣ୍ଣ ତଥ୍ୟ । ଭୁବନେଶ୍ଵର ଏମ୍ସରେ ପ୍ରଦର୍ଶିତ ହୋଇଛି ଏହି ଭୀଷ୍ମ କ୍ୟୁବ୍। ଏହି ଡାକ୍ଟଖାନାରେ ୨୫ ଜଣଙ୍କୁ ଏକ ସମୟରେ ପରୀକ୍ଷା କରାଯାଇପାରିବ। ଏମରଜେନ୍ସି ଠାରୁ ନେଇ ସର୍ଜରୀ, ନିଆଁ ଲାଗିବା, ଯୁଦ୍ଧ, ବନ୍ୟା, ଭୂକମ୍ପ ପୀଡିତ ଲୋକଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଏହି ଡାକ୍ତରଖାନାର ଲକ୍ଷ । ଜୀବନ ରକ୍ଷାକାରୀ ଏଇ ଭୀଷ୍ମ ଡାକ୍ତରଖାନା ପାଇଁ ବନ୍ୟା,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କ ଅମୂଲ୍ୟ ଜୀବନ ବଞ୍ଚାଇ ପାରିବ ।ଏକ ଲୌହ ନିର୍ମିତ ଫ୍ରେମ୍ ମଧ୍ୟରେ ତିନିଟି ଥାକ ମଧ୍ୟରେ ରହିଛି ୧୨ଟି ଲେଖାଏଁ କ୍ୟୁବ୍। ପ୍ରତି ବାକ୍ସରେ ମହଜୁଦ ରହିଛି ଜରୁରୀ ଔଷଧ, ଇଞ୍ଜେକସନ, ସାଲାଇନ ସହ ଅନ୍ୟ ମେଡିକାଲ ସାମଗ୍ରୀ। ସହଜରେ ଜାଣିବାକୁ ବାକ୍ସରେ ଲଗାଯାଇଛି କ୍ୟୁଆର କୋଡ୍। ଏହାକୁ ସ୍କାନ୍ କରିବା ମାତ୍ରେ ଔଷଧ ସମ୍ପର୍କରେ ମିଳିଯିବ ତଥ୍ୟ। ସ୍ୱାସ୍ଥ୍ୟସେବାକୁ ମଜଭୁତ କରିବା ଲକ୍ଷ୍ୟରେ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ବିପର୍ଯ୍ୟୟ ସମୟରେ ଏହା ଦେଶବାସୀଙ୍କୁ ଯୋଗାଇଦେବ ସେବା। ଲୋକଙ୍କୁ ଆଉ ହସ୍ପିଟାଲ ଯାଇ ସମୟ ଅପଚୟ କରିବାକୁ ପଡ଼ିବନି। ତିନୋଟି କ୍ୟୁବିକଲରେ ରହିଛି ମୋଟ ୩୬ ବାକ୍ସ । ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମରେ ରହିଛି ଚିକିତ୍ସା ସାମଗ୍ରୀ। ଏଥିରେ ଔଷଧ ଏବଂ ପରୀକ୍ଷଣ ଉପକରଣ ଠାରୁ ଆରମ୍ଭ କରି ଅପରେସନ ଥିଏଟର ପାଇଁ ଆବଶ୍ୟକ ଚିକିତ୍ସା ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ରହିଛି। ଦ୍ୱିତୀୟ ହେଉଛି ବଞ୍ଚିବା ସାମଗ୍ରୀ। ଯେଉଁଥିରେ ଏହି ଡାକ୍ତରଖାନା ପାଇଁ କାମ କରୁଥିବା ଡାକ୍ତରଙ୍କ ଲାଗି ରୋଷେଇ ଘର, କମ୍ବଳ ଏବଂ ଖାଦ୍ୟ ସାମଗ୍ରୀ ରହିଥାଏ । ତୃତୀୟରେ କ୍ୟୁବିକଲ ମଧ୍ୟରେ ରହିଛି ଜେନେରେଟର ଏବଂ ସୌର ପ୍ୟାନେଲ ପରି ଅଣ-ଚିକିତ୍ସା ସାମଗ୍ରୀ ।
ପ୍ରତ୍ୟେକ ବାକ୍ସରେ ଏକ QR Code ରହିଛି। QR Codeରେ ସ୍କାନ୍ କଲେ କେଉଁ ବାକ୍ସରେ ଔଷଧ ରହିଛି ଏବଂ ସେଗୁଡିକର ଏକ୍ସପାୟାରୀ ଡେଟ କେତେ ଜାଣିହେବ ।