ଜୁନ୍ ୩ ତାରିଖକୁ ‘ବିଶ୍ୱ ସାଇକଲ ଦିବସ’ ଭାବରେ ପାଳନ କରାଯାଏ । କୁନି କୁନି ପିଲା ତଥା ଯୁବଗୋଷ୍ଠୀଙ୍କୁ ସାଇକଲ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ମିଳିତ ଜାତିସଂଘର ସାଧାରଣ ସଭା ଜନ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୮ରେ ‘ବିଶ୍ୱ ସାଇକଲ ଦିବସ’ ପାଳନ କରିବା ଆରମ୍ଭ କରିଥିଲା। ପିଲାଟି ଯେତେବେଳେ ବଡ ହୁଏ ତାର ପ୍ରଥମ ସାଥୀ ପାଲଟିଯାଏ ଏହି ଶୂନଗାଡି । ବାରମ୍ୱାର ପଡିଯାଏ ପୁଣି ଉଠିକି ଚଲାଏ । ବେଳେବେଳେ ଉଠିକି ପୁଣି ଗୋଟେ ଝୁଙ୍କରେ ଚଲେଇ ଶିଖିଛି। କେବଳ କୁନି ପିଲା ଏହି ବାହନ କଲେଜ ଜୀବନରେ ବି ଲୋଡାପଡେ ।। ସରକାରୀ ବିଭାଗରେ କାମ କରୁଥିବା ଡାକ ପିଅନ, ସ୍କୁଲ ଶିକ୍ଷକମାନେ ୧୪ ଇଞ୍ଚରୁ ନେଇ ୨୨ ଇଞ୍ଚିଆ ଘୋଡ଼ା ସାଇକଲ ଚଲାଉଥିଲେ । ରାତିରେ ରାସ୍ତା ଦିଶିବା ପାଇଁ ସାଇକଲ ଆଗରେ ଡାଇନାମା ଲଗାଯାଉଥିଲା ।
ସାଇକେଲର ରିଙ୍ଗ୍ ବାଜିଲେ କେହି ଜଣେ ଘରକୁ ଆସିଲା ବୋଲି ଭାବିନିଆଯାଉଥିଲା । ଝିଅ ବିବାହ ହେଲେ ଜ୍ୱାଇଁକୁ ଯୌତୁକରେ ସାଇକଲ ଦିଆଯାଉଥିଲା । ଏପରିକି ରାସ୍ତାରେ ସାଇକଲ ଚଲାଇବା ପାଇଁ ଟିକସ ଦେବାକୁ ପଡ଼ୁଥିଲା । ଏବେ ସମୟ ବଦଳିଛି । ଯୁଗ ସହ ତାଳ ଦେଇ ବଦଳିଯାଇଛି ସାଇକଲ । ଆଉ ଘୋଡ଼ା ସାଇକଲ ନୁହେଁ ରାସ୍ତାରେ ଗଡ଼ୁଛି ବିଭିନ୍ନ ଡିଜାଇନ୍ର ଷ୍ଟାଇଲିସ୍ ବାଇସାଇକଲ । ସାରା ବିଶ୍ବରେ ନେଦରଲ୍ୟାଣ୍ଡ ଏକମାତ୍ର ଦେଶ, ଯେଉଁଠି ଆଜି ବି ସାଇକଲ ଅଧିକ ଭାବେ ବ୍ୟବହାର କରାଯାଇଥାଏ। ଏହି ଦେଶର ସରକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ସାଇକଲ ଚଳାଇବା ଉପରେ ସେଠାକାର ନାଗରିକଙ୍କୁ ପରାମର୍ଶ ଦେଇଥାନ୍ତି। ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାଇକଲ ଚଳାଇ ତାଙ୍କ କାର୍ଯ୍ୟାଳୟକୁ ଆସନ୍ତି। ସାଇକଲ ଚଳାଇବା ଦ୍ବାରା ଏହା ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଏହା ହୃଦ୍ଯନ୍ତ୍ର ଓ ଫୁସ୍ଫୁସ୍କୁ ଭଲ ରଖିବାରେ ସାହାଯ୍ୟ କରେ। ନିୟମିତ ଅଧଘଣ୍ଟା ସାଇକଲ ଚଳାଇବା ଦ୍ବାରା ପେଟର ଚର୍ବି ହ୍ରାସ ପାଇଥାଏ। କେବଳ ସେତିକି ନୁହେଁ, ନିୟମିତ ସାଇକଲ ଚଳାଇବା ଦ୍ବାରା ଶରୀରର ଇମ୍ୟୁନୋ ସିଷ୍ଟମ୍ ଠିକ୍ ଭାବେ କାମ କରିଥାଏ। ୧୯୬୦ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସାଇକଲର ସମୟ ଥିଲା। ଏବେ କିନ୍ତୁ ସାଇକଲ କେବଳ ବ୍ୟାୟାମ କରିବା ଉଦ୍ଦେଶ୍ୟରେ ତଥା ଆଥ୍ଲେଟିକ୍ସମାନଙ୍କ ଦ୍ବାରା ବ୍ୟବହାର କରାଯାଉଛି।ପୂର୍ବରୁ ସାଇକଲର ଦର ୪ରୁ ୭ହଜାର ମଧ୍ୟରେ ଥିବା ବେଳେ ଏବେ ୧୦ହଜାରରୁ ନେଇ ୫ଲକ୍ଷ ପର୍ଯ୍ୟନ୍ତ ଦର ବିଶିଷ୍ଟ ସାଇକଲ ବିକ୍ରି ହେଉଛି । ସାଇକଲରେ ଗିଅର ରହୁଛି । କିଏ ଫିଟ୍ନେସ୍ ତ କିଏ ଆକର୍ଷଣୀୟ ଦିଶିବା ପାଇଁ ସାଇକଲକୁ ଫ୍ୟାସନର୍ ଏକ ଅଂଶଭାବେ ଗ୍ରହଣ କରିଛନ୍ତି । ସିଟି ବାଇକ୍ ସାଇକଲ କେବଳ ସହର ଭିତରେ ଚାଲିବ । ଏହାର ଦର ୧୦ ହଜାରରୁ ଆରମ୍ଭ କରି ୨୦ହଜାର ପର୍ଯ୍ୟନ୍ତ ରହିଛି । ରୋଡ୍ ବାଇକ୍ ସାଇକଲକୁ ଲୋକେ ଦୂରଦୂରାନ୍ତରକୁ ଭ୍ରମଣରେ ନେଉଛନ୍ତି । ଏହାର ଦର ୫୦ହଜାରରୁ ଆରମ୍ଭ ହେଉଛି । ମାଉଣ୍ଟେନ ସାଇକଲ ସବୁ ରାସ୍ତାରେ ଚାଲିପାରୁଛି । ଏହି ସାଇକଲର ଦର ୧୦ହଜାରରୁ ନେଇ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଛି । ଇ-ସାଇକଲକୁ ଅଫିସ ଓ କର୍ମକ୍ଷେତ୍ର ପାଇଁ ବ୍ୟବହାର କରାଯାଉଛି । ଏଥିରେ ପେଡାଲ ସହ ଅଟୋମେଟିକ୍ ଷ୍ଟାର୍ଟିଂ ବ୍ୟବସ୍ଥା ମଧ୍ୟ ରହିଛି ।