ମଧ୍ୟପ୍ରଦେଶ, ଶହଡୋଲ୍ ଜିଲ୍ଲାର ସୋହାଗପୁର ଥାନା ଅଞ୍ଚଳ ଅନ୍ତର୍ଗତ ପିପାରିଆ ଗାଁରେ, ଏକ ତିନି ବର୍ଷର ଝିଅ କଞ୍ଚନ କୋଲକୁ ଏକ ବିଷାକ୍ତ କରୈତ ନାମକ ସାପ କାମୁଡ଼ିଥିଲା । ସାପଟି ଥରେ କିମ୍ବା ଦୁଇଥର ନୁହେଁ ବରଂ ଶିଶୁର ହାତକୁ ତିନିଥର ଚୋଟ ମାରିଥିଲା । ଝିଅକୁ ଗୁରୁତର ଅବସ୍ଥାରେ ଶହଡୋଲ୍ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଝିଅ ବଞ୍ଚିବ ବୋଲି ସମସ୍ତେ ଆଶା ଛାଡ଼ି ଦେଇଥିଲେ । କିନ୍ତୁ ଝିଅର ବିଞ୍ଚିବା ଜିଦ୍ ଆଗରେ ହାର ମାନିଲା ସାପର ବିଷ । ପ୍ରାୟ ୨୦ ଦିନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ଘରକୁ ଫେରି ଆସିଲା କୁନି ଝିଅ । ଯାହା ବି ହେଉନା କାହିଁକି ଡାକ୍ତରଙ୍କ ଚେଷ୍ଟାରେ ଝିଅର ଜୀବନ ବଞ୍ଚିଗଲା ।ଡାକ୍ତର ସୁନୀଲ ହଥଗେଲ ଏବଂ ତାଙ୍କ ଟିମ୍ ଦୀର୍ଘ ୨୦ ଦିନ ପର୍ଯ୍ୟନ୍ତ କୁନି ଝିଅର ଚିକିତ୍ସା କରିଥିଲେ । ଚିକିତ୍ସାର ପ୍ରଥମ ୧୧ ଦିନ ପାଇଁ କଞ୍ଚନ ଭେଣ୍ଟିଲେଟରରେ ଥିଲେ, ଝିଅକୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ ଡାକ୍ତର । ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ସେ ଘରକୁ ଫେରି ଆସିଥିଲେ । କଞ୍ଚନର ବାପା ମା’ ଝିଅକୁ ପାଇ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଥିଲେ।
