ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍ ବୁଧବାର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ହକି ଦଳ ଆସିବା ନେଇ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା ଦେଇଛନ୍ତି। ଆସନ୍ତାକାଲି ୧୨ଟା ୩୦ ମିନିଟ୍ ସମୟରେ ଭୁବନେଶ୍ୱରରେ ପହଞ୍ଚିବେ । ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ପରବର୍ତ୍ତୀ ସମୟରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସେମାନଙ୍କୁ ସମ୍ବର୍ଦ୍ଧନା ସହ ରାଜ୍ୟ ସରକାର ଘୋଷଣା କରିଥିବା ପୁରସ୍କାର ରାଶି ପ୍ରଦାନ କରାଯିବ।
ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ମିଳିବ କୁହାଯାଇଥିଲା। ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ବତନ୍ତ୍ର ଭାବେ ୪ କୋଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଅମିତଙ୍କୁ ଏହା ପୂର୍ବରୁ ପ୍ରଦାନ କରାଯାଇଛି।ଅନ୍ୟପଟେ ଟି -୨୦ ବିଶ୍ୱକପ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଯେଉଁଭଳି ଭାବେ ମୁମ୍ବାଇରେ ଏକ ଓପନ ବସରେ ବିଜୟ ସେଲିବ୍ରେସନ କରିଥିଲେ, ସେହିଭଳି ଢଙ୍ଗରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ସୁରକ୍ଷା ବ୍ୟବସ୍ଥା ସହ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମକୁ ଆସିବେ ଭାରତୀୟ ହକି ଦଳର ଖେଳାଳି ।