ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ହବିଷ୍ୟାଳି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର।ତେବେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଫେରିଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଶିବିରରେ ରହି ବ୍ରତ ପାଳନ କରିବେ ବୋଲି ଜିଦ୍ରେ ଅଟଳ ରହିଲେ ଅଣପଞ୍ଜିକୃତ ହବିଷ୍ୟାଳି । ଶେଷରେ ହାର ମାନିଲା ପ୍ରଶାସନ । ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ପ୍ରୟାସ ଆରମ୍ଭ ହେଉଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି, ବୃନ୍ଦାବତୀ ନିବାସର ବେସ୍ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି । ତେବେ ଆଜି ସୁଦ୍ଧା ସମସ୍ତ ଚୂଡ଼ାନ୍ତ ହୋଇସାରିବା ପରେ ଅନ୍ୟମାନଙ୍କୁ ପଞ୍ଜିକରଣ କରି ରଖିବାର ବ୍ୟବସ୍ଥା ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ବୃନ୍ଦାବତୀ ନିବାସର ବେସ ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳୀ। ଆସିଛନ୍ତି ପ୍ରାୟ ୪ହଜାର ହବିଷ୍ୟାଳି । ଫଳରେ ଅଧିକ ହବିଷ୍ୟାଳିଙ୍କ ପାଇଁ ଶିବିରରେ ଜାଗା ନାହିଁ । ସେମାନେ ବାହାରେ ରହୁଛନ୍ତି । ବାହାରେ ରହୁଥିବା ହବିଷ୍ୟାଳି ମାନେ ପ୍ରଶାସନ ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ଆଜି ଠାରୁ ସଂକଳ୍ପ କରି ଏକ ମାସ ଲାଗି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି । ରାଇ ଦାମୋଦରଙ୍କୁ ପୂଜା କରିବେ ।
୪ଟି ହବିଷ୍ୟାଳି କେନ୍ଦ୍ରରେ ଅଢ଼େଇ ହଜାର ବ୍ରତଧାରୀଙ୍କ ଲାଗି ରହିବା, ଖାଇବା ସହ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଲାଗି ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପୁରୀରେ ୨୫ ଶହ ହବିଷ୍ୟାଳିଙ୍କ ରହିବା, ମହାପ୍ରସାଦ ସେବନ ଓ ଶ୍ରୀମନ୍ଦିର ଦର୍ଶନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ନେଇ ପୁରୀରେ ସମସ୍ୟା ଉପୁଜିବା ପରେ ଶୁକ୍ରବାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ସେ କହିଛନ୍ତି, ଯେଉଁ ମା’ମାନେ ଆସିଛନ୍ତି ସମସ୍ତଙ୍କ ପାଇଁ ରହିବା ବ୍ୟବସ୍ଥା ହେବ। ପଞ୍ଜୀକୃତ କରି ଆସି ନ ଥିବା ହବିଷ୍ୟାଳି ମା’ମାନେ ରହିବେ। ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସ୍ଥାନାଭାବ ହେଲେ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ମୁଁ ଏନେଇ ଜିଲା ପ୍ରଶାସନ ସହ ଆଲୋଚନା କରିସାରିଛି।