କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କ ଉପରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ଏବଂ ତାଙ୍କ ପତ୍ନୀ, ଯିଏ ନିଜେ ଜଣେ ସ୍କ୍ୱାର୍ଡନ ଲିଡର, ତାଙ୍କ ସହ ମଧ୍ୟ ଆକ୍ରମଣକାରୀମାନେ ଅସଦାଚରଣ କରିଥିବା ଜଣାଯାଇଛି। ଦମ୍ପତି ବିମାନବନ୍ଦର ଅଭିମୁଖେ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା।ଓ୍ବିଙ୍ଗ କମାଣ୍ଡର ଶିଲାଦିତ୍ୟ ବୋଷ୍ ନିଜ ଏଫଆଇଆରରେ ଲେଖିଛନ୍ତି, ସେ ଏୟାରପୋର୍ଟ ଯାଉଥିବାବେଳେ କିଛି ଅଜ୍ଞାତ ଲୋକ ତାଙ୍କୁ ବାଇକରେ ଆସି ଆକ୍ରମଣ କରିଥିଲେ । ବାଇକରେ ପିଛା କରୁଥିବା ଦୁର୍ବୃତ୍ତମାନେ ରୋଡ୍ ରେଜ୍ ଘଟଣାରେ ତାଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲେ ପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଓ୍ବିଙ୍ଗ କମାଣ୍ଡର ରକ୍ତ ଜୁଡୁବୁଡୁ ଅବସ୍ଥାର ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।
ଏଥିରେ ଘଟଣାକ୍ରମର ବିବରଣୀ ଏହି ଭିଡିଓ ମାଧ୍ୟମରେ ଦେଇଛନ୍ତି ଏବଂ ଶରୀରର କେଉଁ କେଉଁ ସ୍ଥାନରେ ଆଘାତ ଲାଗିଛି, ତାକୁ ମଧ୍ୟ ଦେଖାଇଛନ୍ତି । ୱିଙ୍ଗ କମାଣ୍ଡର ଭିଡିଓରେ କହିଛନ୍ତି ଯେ, “ମୋ ପତ୍ନୀ ସେଠାରେ ଥିବାରୁ ସେ ମୋତେ ସେଠାରୁ ସୁରକ୍ଷିତ ନେଇ ଆସିଥିଲେ। ଆମେ ଅଭିଯୋଗ ଦାୟର କରିବାକୁ ପୁଲିସ ଷ୍ଟେସନ ଯାଇଥିଲୁ, କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। କର୍ଣ୍ଣାଟକ ଏବେ ଏମିତି ହୋଇଗଲଣି। ବାସ୍ତବତା ଦେଖି ମୁଁ ବିଶ୍ୱାସ କରିପାରୁ ନାହିଁ। ଭଗବାନ ଆମକୁ ସାହାଯ୍ୟ କରନ୍ତୁ। ଭଗବାନ ମୋତେ ପ୍ରତିଶୋଧ ନ ନେବାର ଶକ୍ତି ଦିଅନ୍ତୁ। କାଲି ଯଦି ଆଇନ ଏବଂ ପ୍ରଶାସନ ଆମକୁ ସାହାଯ୍ୟ ନକରେ, ତେବେ ମୁଁ ପ୍ରତିଶୋଧ ନେବି।”