
ନୟାଗଡ଼,(ଓଡ଼ିଶା ଦର୍ପଣ): ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ପ୍ରବୋଧନ’ ନୟାଗଡ଼ ବ୍ଲକ ଅନ୍ତର୍ଗତ ମାଛିପଡ଼ା ସରକାରୀ ହାଇସ୍କୁଲ ଠାରେ ଆଜିଠାରୁ ଆରମ୍ଭ ହୋଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ଓ ବିଦ୍ୟାଳୟ ଶିକ୍ଷା-୨୦୨୫କୁ ଆଧାର କରି ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ସୂଚନା ଯୋଗ୍ୟ ଯେ ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ପୁସ୍ତକର ପରିବର୍ତ୍ତନ କରାଯାଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ୧୦+୨+୩ ଶିକ୍ଷାକ୍ରମ ଢାଞ୍ଚାକୁ ପରିବର୍ତ୍ତନ କରାଯାଇ ୫+୩+୩+୪ ଢାଞ୍ଚା ଅନୁସାରେ ଶିକ୍ଷା ପ୍ରଦାନ କରାଯିବ। ସେହିପରି ମାତୃଭାଷାରେ ଶିକ୍ଷା ପ୍ରଦାନ କରାଯିବା,ଉଚ୍ଚ ଶିକ୍ଷାରେ ପରିବର୍ତ୍ତନ,ନିୟମିତ ଶିକ୍ଷକ ପ୍ରଶିକ୍ଷଣ ତଥା ପିଲାମାନଙ୍କର ୩୬୦° ହୋଲିଷ୍ଟିକ ଉନ୍ନତି ଏବଂ ମୂଲ୍ୟାୟନ ସହିତ ପାଠପଢା ସହ କୌଶଳ,ଆଚରଣ ଏବଂ ସୃଜନଶୀଳତାର ମୂଲ୍ୟାୟନ ଉପରେ ଜାତୀୟ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି।

ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଧନେଶ୍ୱର ସେଠିଙ୍କ ତତ୍ୱାବଧାନରେ ଚାଲିଥିବା ଏହି ୫ ଦିନିଆ ପ୍ରଶିକ୍ଷଣ ଶିବିରରେ ୯୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିବା ବେଳେ ପ୍ରଶିକ୍ଷକ ଭାବେ ବରିଷ୍ଠ ଶିକ୍ଷକ ଦୁର୍ଗାକାନ୍ତ ଆଚାର୍ଯ୍ୟ ଏବଂ ଅଶୋକ କୁମାର ମଲ୍ଲ ଶିବିର ପରିଚାଳନା କରିଥିଲେ।
