ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୬

ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସିଜିନ-୩ର ନୂଆଗାଁ ବ୍ଲକ ଅଡିସନ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ନୂଆଗାଁଠାରେ ଅନୁଷ୍ଠିତ ହୋଇଯାଇଛି।  ଏହି ପ୍ରତିଯୋଗିତାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର କଣ୍ଠଶିଳ୍ପୀ ମାନେ  ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ବେତାର ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ଅଶୋକ ମଲ୍ଲ, ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ଲକ୍ଷ୍ମୀଧର ସାହୁ  ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୬ ଜଣ କଣ୍ଠଶିଳ୍ପୀଙ୍କୁ ସେମି ଫାଇନାଲ ପର୍ଯ୍ୟାୟ ପାଇଁ ଚୟନ କରିଥିଲେ। ଏହି କଣ୍ଠଶିଳ୍ପୀ ମାନେ ହେଲେ ସାଇପ୍ରସାଦ ଦାଶ,ଶକ୍ତିମାନ ସ୍ୱାଇଁ,ପ୍ରୀତିପ୍ରଜ୍ଞା ତ୍ରିପାଠୀ,ଲକ୍ଷ୍ମୀ ନାୟକ, ସୁଚିତ୍ରା ବେହେରା ଏବଂ ଲକ୍ଷ୍ମୀପ୍ରିୟା ନାୟକ ।

କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ପ୍ରତ୍ୟକ୍ଷ ସହଯୋଗ କରିଥିଲେ। ସୂଚନା ଯୋଗ୍ୟଯେ ଜିଲ୍ଲାର ସମସ୍ତ ୮ଟି ବ୍ଳକରେ କଣ୍ଠଶିଳ୍ପୀ ମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଏଥିରୁ ମନୋନୀତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ  ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ କ୍ରମାନ୍ୱୟେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ସହିତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ବୋଲି ସଙ୍ଗୀତ ଧାରା ପକ୍ଷରୁ କୁହାଯାଇଛି।

ଅଧିକ ପଢନ୍ତୁ