ଭଣ୍ଡ ବାବା ସାଜି ଲୋକଙ୍କୁ ଲୁଟୁଥିଲେ,ଗ୍ୟାଙ୍ଗ୍‌ର ୪ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ ।

ସାଧୁ ବାବା ବେଶରେ ରିଷ୍ଟ ଖଣ୍ଡନ କହି ଲୁଟୁଥିଲେ ସୁନା ଗହଣା । ଝାରସୁଗୁଡ଼ା ପୋଲିସ ହାତରେ ସୁନା ଲୁଟେରା ଗ୍ୟାଙ୍ଗ । ସୂଚନାନୁସାରେ ଗତ ୧୨ ତାରିଖ ଅପରାହ୍ନ ପ୍ରାୟ ୫ ଟା ସମୟରେ ଦୁଇଟି ମୋଟର ସାଇକେଲରେ ଚାରିଜଣ ଅଜ୍ଞାତ ଅପରାଧୀ ସରବାହଲ ନିବାସୀ ନିରୁପାମା ନାୟକଙ୍କ ସୁନା ଅଳଙ୍କାର, ମୋବାଇଲ୍ ଫୋନ୍ ଇତ୍ୟାଦି ଛଡାଇ ନେଇଥିଲେ ବୋଲି ଟାଉନ ଥାନାରେ ଅଭିଯୋଗ କରିଥିଲେ । ସମାନ ଭାବେ ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରାର ରୀତାମଞ୍ଜରୀ ସାହୁଙ୍କ ସହ ବି ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା । ଝାରସୁଗୁଡା ପୋଲିସ ଓ ବେଲପାହାଡ଼ ପୋଲିସ ଅଭିଯୋଗକୁ ଭିତ୍ତି କରି ଆରମ୍ଭ କରିଥିଲେ ତଦନ୍ତ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଉତ୍ତରାଖଣ୍ଡର ସାହିଦ୍‌, ଏମ୍‌ଡି ଇକ୍‌ବାଲ ଏବଂ ଉତ୍ତରପ୍ରଦେଶର ଜୋହର ଅଲ୍ଲୀ ଓ ଏମ୍‌ଡି ଇସ୍‌ଲାମ୍‌ ।

ଅଭିଯୁକ୍ତଙ୍କ ନିକଟରୁ ୨ଟି ପଲସର୍‌ ବାଇକ୍‌, ୪ଟି ମୋବାଇଲ୍‌ ଫୋନ୍‌, ଲୁଟ୍‌ ହୋଇଥିବା ସୁନା ଅଳଙ୍କାର ସହ ନଗଦ ୨୧୫୦ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତମାନେ ନିଜକୁ ହରିଦ୍ବାରର ସାଧୁ ବାବା ବୋଲି ପରିଚୟ ଦେଇ ଲୁଟ୍ କରୁଥିଲେ । ଅଭିଯୁକ୍ତ ମହିଳାଙ୍କୁ ପୂର୍ବଜଙ୍କର କିଛି ଶୁଦ୍ଧିକ୍ରିୟା ବାକି ରହିଯାଇଥିବାରୁ ମନୋକାମନା ପୂରଣ ହୋଇପାରୁନଥିବା କହି ପ୍ରବର୍ତ୍ତାଉଥିଲେ। ଏହାପରେ ମହିଳାଙ୍କୁ ତାଙ୍କ ସୁନା ଗହଣା କାଢ଼ି ଏକ ବ୍ୟାଗ୍‌ରେ କିମ୍ବା କାଗଜରେ ରଖି ୫୧ ପାଦ ପଛକୁ ଚାଲିବାକୁ କହୁଥିଲେ। ମହିଳା ଗହଣା ରଖି ୫୧ ପାଦ ପଛକୁ ଯିବା ବେଳକୁ ଦୁର୍ବୃତ୍ତମାନେ ଏହି ଗହଣା ନେଇ ଛୁ ମାରୁଥିଲେ।ଲୋକଙ୍କ ବିଶ୍ବାସକୁ ନେଇ ଏ ଲୁଟେରାମାନେ ଫାଇଦା ଉଠାଉଛନ୍ତି । ଆପଣ ଯଦି ସତର୍କ ରହିବେ ତେବେ ଏଭଳି ଲୁଟେରାଙ୍କ ହାବୁଡ଼ରେ ପଡ଼ିବେନି । ଆଉ ଆପଣଙ୍କ ମୂଲ୍ୟବାନ ଜିନିଷ ଓ ଟଙ୍କା ମଧ୍ୟ ସୁରକ୍ଷିତ ରହିବ ।

ଅଧିକ ପଢନ୍ତୁ