ଭତ୍ତା ପାଇଁ ଘୁଷୁଡ଼ି ଘୁଷୁଡ଼ି ଆସିଲେ ୮୦ ବର୍ଷୀୟ ଜଣେ ବୃଦ୍ଧ

ଭତ୍ତା ଟଙ୍କା ପାଇଁ ୮୦ ବର୍ଷୀୟ ଜଣେ ବୃଦ୍ଧ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସ୍‌କୁ ଯିବା ଭଳି ଏକ ଅପ୍ରୀତିକର ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲା‌‌ରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବୃଦ୍ଧଜଣଙ୍କ ହେଲେ, କେନ୍ଦ୍ରାପଡ଼ା ବ୍ଲକ୍‌ ଅନ୍ତର୍ଗତ କୋର ପଞ୍ଚାୟତ, କୋର ଗ୍ରାମର ଶ୍ରୀଧର ସାହୁ। ସେ ପଞ୍ଚାୟତ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ଦୃଶ୍ୟ ଦେଖିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପଞ୍ଚାୟତ ଅଧିକାରୀ କାହିଁକି ଶ୍ରୀ ସାହୁଙ୍କ ଘରକୁ ଯାଇ ଭତ୍ତା ଦେଲେ ନାହିଁ ବୋଲି ପ୍ରଶ୍ନ ଉଠିଛି।ସୂଚନାନୁଯାୟୀ, ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ଶ୍ରୀ ସାହୁଙ୍କ ଦୁଇ ଗୋଡ଼ ଅଚଳ ହୋଇଯାଇଛି। ଦୁଇ ହାତ କାର୍ଯ୍ୟକ୍ଷମ ଥିବାରୁ ସେଥିରେ ଭରା ଦେଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଘୁଷୁଡ଼ି ଘୁଷୁଡ଼ି ଯାଆନ୍ତି। ପ୍ରତି ମାସରେ ତାଙ୍କ ଝିଅ ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତ‌ା ଆଣିଥାନ୍ତି। ମାତ୍ର ଚଳିତ ମାସରେ ଝିଅକୁ ଭତ୍ତା ଦେବା ପାଇଁ ଅଧିକାରୀ ମନା କରି ଦେଇଥିଲେ। ତେଣୁ ଶ୍ରୀ ସାହୁ ଆଜି ସକାଳେ ବାଧ୍ୟ ହୋଇ କାଦୁଅ ରାସ୍ତାରେ ଦୁଇ ହାତରେ ଭରା ଦେଇ ଘୁଷୁଡ଼ି ଘୁଷୁଡ଼ି ଯାଉଥିବାର ଦୃଶ୍ୟ ଅନେକଙ୍କୁ ବିଚଳିତ କରିଥିଲା। ପ୍ରାୟ ଅଧି କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରିବା ପରେ କିଛି ଲୋକ ତାଙ୍କୁ ଅଟକାଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଖବର ଦେଇଥିଲେ। ଅଧିକାରୀ ରାସ୍ତାରେ ପହଞ୍ଚି ତାଙ୍କୁ ଭତ୍ତା ଦେଇଥିବା ସୂଚନା ମିଳିଛି।ଅପରପକ୍ଷେ, ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ଅଧିକ ପଢନ୍ତୁ

kc ads