ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ୪ ହଜାର ୩ ଶହ ୮୨ କୋଟି ଟଙ୍କା ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍ ଅନୁମୋଦନ କରିଥିବା ହେତୁ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ମନ୍ତ୍ରୀ ହରଦୀପ ସିଂପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି |ଏଥିରେ ୯୦୦ ଟିପିଡି କ୍ରମାଗତ ପଲିମେରାଇଜେଶନ (ସିପି) ୟୁନିଟ୍ ସହିତ ଟେକ୍ସଚରଡ ୟାର୍ନ (ଡିଟିଓ୍ବାଇ), ଏଫ୍ଡିଓ୍ବାଇ, ପଲିଷ୍ଟର ଚିପ୍ସ ଏବଂ ଆନୁଷଙ୍ଗିକ ସୁବିଧା ରହିଛି।ଉଲ୍ଲେଖଯୋଗ୍ୟ, ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନ ଧାମନଗର ଛକଠାରେ ହେବ। ଧାମନଗର ଛକଠାରେ ପ୍ରସ୍ତାବିତ ଟେକ୍ସଟାଇଲ ପାର୍କ ନିର୍ମାଣ ନିମନ୍ତେ ପୂର୍ବରୁ ଜମି ଅଧିଗ୍ରହଣ ହୋଇସାରିଥିଲା। କିନ୍ତୁ କାମ ଆରମ୍ଭ ହୋଇପାରୁ ନ ଥିଲା।
ପ୍ରଥମେ ଏହି ସ୍ଥାନରେ ଧରଣୀ ସୁଗାର କମ୍ପାନି ଚିନିକଳ ନିର୍ମାଣ ପାଇଁ ୧୯୯୫ରେ ଧାମନଗର ଛକ ଜାତୀୟ ରାଜପଥ ପାର୍ଶ୍ୱରେ ୨୩୫ ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇଥିଲା। ଯାହା ଏବେ ଇଡ୍କୋ ଅଧୀନରେ ଅଛି। କିନ୍ତୁ ଚିନିକଳ ବସିଲା ନାହିଁ। ଅଧିକୃତ ହୋଇଥିବା ଜମିରେ ରାଜ୍ୟ ସରକାର ଫୁଡ୍ ପାର୍କ କରିବାକୁ କହିଥିବା ବେଳେ କେନ୍ଦ୍ର ସରକାର ଟେକ୍ସଟାଇଲ୍ ପାର୍କ ନିର୍ମାଣ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେଇଥିଲେ। ଅଧୀକୃତ ଜମି ମଧ୍ୟରୁ ଟେକ୍ସଟାଇଲ୍ ପାର୍କ ପାଇଁ ୫୬ ଏକର ଜମି ଇଡ୍କୋ ପ୍ରଦାନ କରିଛି।