ସହପାଠୀ ସାଜିଲେ ସଇତାନ । ଭୁଲିଗଲେ ହିତାହିତ ଜ୍ଞାନ । । ହଷ୍ଟେଲ ଛାତରୁ ଖସି ଜଣେ ଯୁକ୍ତ ଦୁଇ ଛାତ୍ର ଗୁରୁତର ହୋଇଛି । ଅଭିଯୋଗ ଅନୁସାରେ ଏକ ଘରୋଇ କଲେଜରେ ପାଠ ପଢୁଥିବା ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ର ରାଗିଂର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଘରୋଇ କଲେଜ ହଷ୍ଟେଲରେ ଦୁଇ ମହଲା ଛାତରୁ ପଡି ଛାତ୍ର ଜଣଙ୍କ ଗୁରୁତର ହୋଇପଡିଛନ୍ତି ।ଗୁରୁତର ଛାତ୍ରଙ୍କ ଅଭିଭାବକ ଗତ ରାତିରେ ଥାନାରେ କରିଥିବା ଅଭିଯୋଗ ଅନୁଯାଯୀ, ସେମାନଙ୍କ ପୁଅ ଉକ୍ତ ଘରୋଇ କଲେଜରେ ଯୁକ୍ତ ଦୁଇ ପଢ଼ିବା ସହ ହଷ୍ଟେଲରେ ରହୁଥିଲେ। କିଛି ଦିନ ପୂର୍ବେ ଉକ୍ତ ଛାତ୍ରଙ୍କ ୯ ସହପାଠୀ କୌଣସି କାରଣରୁ ତାଙ୍କୁ ନିର୍ଧୂମ ପିଟିଥିଲେ। ଏହାର ଭିଡିଓ ପୀଡ଼ିତ ଛାତ୍ରଙ୍କ ନିକଟରେ ଥିଲା। ଉକ୍ତ ଭିଡିଓକୁ ଡିଲିଟ କରିବାକୁ ସେମାନେ ଧମକ ଦେଉଥିବା ବେଳେ ପୀଡ଼ିତ ଛାତ୍ରଜଣକ କିନ୍ତୁ ଶୁଣୁ ନ ଥିଲେ।ଏଥିରେ ଉତ୍ତ୍ୟକ୍ତ ହୋଇ ପୂର୍ବ ଯୋଜନା ମୁତାବକ ଗତ ରାତିରେ ୯ ଅଭିଯୁକ୍ତ ଛାତ୍ର ଉକ୍ତ ଛାତ୍ରଙ୍କୁ ହଷ୍ଟେଲ ଛାତ ଉପରକୁ ନେଇଥିଲେ। ସେଠାରେ ସେମାନେ ତାଙ୍କୁ ପ୍ରବଳ ମାରପିଟ କରିଥିଲେ ଓ ଠେଲି ଦେଇଥିବା ସନ୍ଦେହ କରିଛନ୍ତି ଛାତ୍ରଙ୍କ ଅଭିଭାବକ | ସରକାର ରାଗିଂକୁ ରୋକିବା ପାଇଁ କଠୋରରୁ କଠୋର ନିୟମ ଆଣୁଥିବାବେଳେ ଏଭଳି ଅଘଟଣ କିପରି ଘଟୁଛି, ତାହା ଚିନ୍ତାର ବିଷୟ ପାଲଟିଛି । କଲେଜ କର୍ତ୍ତୃପକ୍ଷଙ୍କ କାର୍ୟ୍ୟକଳାପ ନେଇ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।