ସବୁ ଭାରତୀୟ ବ୍ରାଣ୍ଡ ଲୁଣ ଓ ଚିନିରେ ପ୍ଲାଷ୍ଟିକ୍ । ସଦ୍ୟତମ ଅଧ୍ୟୟନ ପରେ ରିପୋର୍ଟରେ ଏନେଇ ଖୁଲାସା ହୋଇଛି । ଏ ବାବଦରେ ଏକ ଅନୁସନ୍ଧାନ ରିପୋର୍ଟ ପରିବେଶ ଅନୁସନ୍ଧାନ ସଂଗଠନ ଟକ୍ସିକ୍ସ ଲିଙ୍କ ଦ୍ୱାରା ଉପସ୍ଥାପିତ ହୋଇଛି। ଏହି ରିପୋର୍ଟରେ ୧୦ ପ୍ରକାରର ଲୁଣ ଏବଂ ୫ ପ୍ରକାର ଚିନି ପରୀକ୍ଷା କରାଯାଇଛି ବୋଲି ଦାବି କରାଯାଇଛି।ଅନୁସନ୍ଧାନ ଅନୁଯାୟୀ, ପ୍ୟାକ୍ ହୋଇଥିବା ଏବଂ ପ୍ୟାକ୍ ହୋଇ ନ ଥିବା ସମସ୍ତ ଭାରତୀୟ ଲୁଣ ଏବଂ ଚିନି ବ୍ରାଣ୍ଡଗୁଡ଼ିକରେ ମାଇକ୍ରୋପ୍ଲାଷ୍ଟିକ୍ ରହିଛି। ପଥର ଲୁଣ, ସମୁଦ୍ର ଲୁଣ, ଟେବୁଲ୍ ଲୁଣ ଏବଂ ଅଶୋଧିତ ଲୁଣର ନମୁନା ଉପରେ ଗବେଷଣା କରାଯାଇଥିଲା। ଏଥି ସହିତ ବଜାରରୁ କିଣାଯାଇଥିବା ଚିନି ମଧ୍ୟ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଅନୁସନ୍ଧାନରେ, ସମସ୍ତ ନମୁନାରେ ଫାଇବର, ପେଲେଟ ଏବଂ ଖଣ୍ଡ ଆକାରରେ ମାଇକ୍ରୋପ୍ଲାଷ୍ଟିକ୍ସର ଉପସ୍ଥିତି ଦେଖିବାକୁ ମିଳିଥିଲା । ଯାହାକି ଜହର ଭଳି ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।ଅନେକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି, ସୂକ୍ଷ୍ମ ପ୍ଲାଷ୍ଟିକ୍ରୁ କ୍ଷତିକାରକ ରସାୟନ ନିର୍ଗତ ହୁଏ ।
ଏହା ପ୍ରଜନନ ବିକାର, ବିକାଶରେ ବିଳମ୍ବ ଓ କର୍କଟ ଭଳି ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ଟକ୍ସିକ୍ସ ଲିଙ୍କ୍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ରବି ଅଗରୱାଲ କହିଛନ୍ତି, ସୂକ୍ଷ୍ମ ପ୍ଲାଷ୍ଟିକ୍ ଉପରେ ଥିବା ବୈଜ୍ଞାନିକ ତଥ୍ୟରେ ନୂଆ ତଥ୍ୟ ଯୋଡ଼ିବା ଆମର ଉଦ୍ଦେଶ୍ୟ । ଏହା ଫଳରେ ବୈଶ୍ୱିକ ପ୍ଲାଷ୍ଟିକ୍ ସନ୍ଧି ଏହି ବିଷୟ ଉପରେ ଗୁରୁତର ସହିତ ଧ୍ୟାନ କେନ୍ଦ୍ରିତ କରିବ । ଏଥିସହିତ ସୂକ୍ଷ୍ମ ପ୍ଲାଷ୍ଟିକ୍ର ବିପଦ ହ୍ରାସ କରିବା ଲାଗି ଆବଶ୍ୟକ ବୈଷୟିକ ହସ୍ତକ୍ଷେପ ନିମନ୍ତେ ବୈଜ୍ଞାନିକଙ୍କ ଧ୍ୟାନ ଆକର୍ଷଣ ଓ କାର୍ଯ୍ୟାନୁଷ୍ଠାନ ଉପରେ ଜୋର ଦେବା ମଧ୍ୟ ଅଧ୍ୟୟନର ଲକ୍ଷ୍ୟ । ଲୁଣରେ ମାଇକ୍ରୋପ୍ଲାଷ୍ଟିକ୍ସର ଉପସ୍ଥିତି କିଲୋଗ୍ରାମ ପ୍ରତି ୬.୭୧ ରୁ ୮୯.୧୫ ଖଣ୍ଡ ବୋଲି ଜଣାପଡିଛି। ଆୟୋଡିନ ଥିବା ଲୁଣରେ ଏହା ସର୍ବାଧିକ ଏବଂ ପଥର ଲୁଣରେ ଏହା ସର୍ବନିମ୍ନ ରହିଛି।
ସେହିପରି ଚିନିରେ କିଲୋଗ୍ରାମ ପ୍ରତି ୧୧.୮୫ ରୁ ୬୮.୨୫ ଖଣ୍ଡ ମାଇକ୍ରୋପ୍ଲାଷ୍ଟିକ୍ ମିଳିଥିଲା। ଅଣ-କାର୍ବନିକ ଚିନିରେ ସର୍ବାଧିକ ମାଇକ୍ରୋପ୍ଲାଷ୍ଟିକ୍ ମିଳିଛି। ମାଇକ୍ରୋପ୍ଲାଷ୍ଟିକ୍ ଉଭୟ ପରିବେଶ ଏବଂ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ। ପ୍ଲାଷ୍ଟିକର ଛୋଟ କଣିକା ଜଳ, ବାୟୁ ଏବଂ ଖାଦ୍ୟ ମାଧ୍ୟମରେ ମାନବ ଶରୀରରେ ପ୍ରବେଶ କରିପାରେ।