ଭାରତ ଉପରେ ଶୁଳ୍କ ମାଡ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ

ଆମେରିକା ଉପରେ ସମ୍ପୂର୍ଣ୍ଣ ଭରସା କରିବା ମୁସ୍କିଲ । ପରିସ୍ଥିତି ଏପରି ହୋଇଛି ଯେ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନୀତିଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ୧୬ଟି ପ୍ରମୁଖ ବାଣିଜ୍ୟିକ ଅଂଶୀଦାର ଦେଶର ବାଣିଜ୍ୟ ନୀତି ଉପରେ ଏକ ନୂତନ ତଦନ୍ତ ଆରମ୍ଭ କରିଛି ଯାହାକୁ ଆମେରିକା ଅନୁଚିତ ବୋଲି ବିବେଚନା କରୁଛି। ଏହି ପଦକ୍ଷେପ ଭାରତ ସମେତ ଅନେକ ଦେଶ ଉପରେ ଅତିରିକ୍ତ ଶୁଳ୍କ କିମ୍ବା ଅନ୍ୟାନ୍ୟ ଆର୍ଥିକ ଦଣ୍ଡ ଲାଗୁ କରିବାର ସମ୍ଭାବନାକୁ ବୃଦ୍ଧି କରିଛି । ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାର ସୁପ୍ରିମକୋର୍ଟ ପୂର୍ବରୁ ଲାଗୁ ହୋଇଥିବା କିଛି ଶୁଳ୍କକୁ ପ୍ରତ୍ୟାହାର କରିବା ପରେ ଟ୍ରମ୍ପ ପ୍ରଶାସନ ନୂତନ ବିକଳ୍ପ ଖୋଜୁଛନ୍ତି । ଅତ୍ୟଧିକ ଶିଳ୍ପ ଉତ୍ପାଦନ କ୍ଷମତା ଉପରେ ଆରମ୍ଭ ହୋଇଥିବା ଧାରା ୩୦୧ ଅନ୍ତର୍ଗତ ଏହି ଯାଞ୍ଚ୍‌ରେ ଭାରତ, ୟୁରୋପୀୟ ସଂଘ, ଚୀନ୍, ଜାପାନ ଏବଂ ଅନ୍ୟାନ୍ୟ ପ୍ରମୁଖ ଅର୍ଥନୀତି ଅନ୍ତର୍ଭୁକ୍ତ ଅଛନ୍ତି। ଏହି ପଦକ୍ଷେପ ଆମେରିକା ଓ ଏହାର ପ୍ରମୁଖ ବାଣିଜ୍ୟିକ ଅଂଶୀଦାରମାନଙ୍କ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ବୃଦ୍ଧି କରିବ ବୋଲି ଆଶା କରାଯାଉଛି।ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଫେବୃଆରୀ 20 ତାରିଖରେ, ସୁପ୍ରିମକୋର୍ଟ ଜାତୀୟ ଜରୁରୀକାଳୀନ ଆଇନ ଅନୁଯାୟୀ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବିଶ୍ୱବ୍ୟାପୀ ଶୁଳ୍କକୁ ଅବୈଧ ଘୋଷଣା କରି ଖାରଜ କରିଥିଲେ। ଏହା ପରେ, ଟ୍ରମ୍ପ ପ୍ରଶାସନ ଏକ ନୂଆ ପଦ୍ଧତି ଗ୍ରହଣ କରିଥିଲା। ସେମାନେ ୧୯୭୪ ବାଣିଜ୍ୟ ଆଇନର ଧାରା ୧୨୨ ଅନୁଯାୟୀ ୧୫୦ ଦିନ ପାଇଁ ଏକ ଅସ୍ଥାୟୀ ୧୦% ଶୁଳ୍କ ଲାଗୁ କରିଥିଲେ।ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରିୟର କହିଛନ୍ତି, ଟ୍ରମ୍ପ ପ୍ରଶାସନ ଦୁଇଟି ପୃଥକ ଯାଞ୍ଚ ଆରମ୍ଭ କରୁଛି। ପ୍ରଥମ ଯାଞ୍ଚ ଅତ୍ୟଧିକ ଉତ୍ପାଦନ କ୍ଷମତା ଉପରେ ଧ୍ୟାନ ଦେଉଛି। ସେହିପରି ଦ୍ୱିତୀୟ ଯାଞ୍ଚ ବଳପୂର୍ବକ ଶ୍ରମରେ ତିଆରି ସାମଗ୍ରୀର ଆମଦାନି ସହିତ ଜଡିତ। ସେ କହିଛନ୍ତି , ଚଳିତ ଗ୍ରୀଷ୍ମ ଋତୁ ସୁଦ୍ଧା ଚୀନ୍, ୟୁରୋପୀୟ ସଂଘ, ଭାରତ, ଜାପାନ, ଦକ୍ଷିଣ କୋରିଆ ଏବଂ ମେକ୍ସିକୋ ବିରୋଧରେ ନୂତନ ଶୁଳ୍କ ଲାଗୁ କରାଯାଇପାରେ। ତାଲିକାରେ ତାଇୱାନ, ଭିଏତନାମ, ଥାଇଲାଣ୍ଡ, ମାଲେସିଆ, କାମ୍ବୋଡିଆ, ସିଙ୍ଗାପୁର, ଇଣ୍ଡୋନେସିଆ, ବାଂଲାଦେଶ, ସ୍ୱିଜରଲାଣ୍ଡ ଏବଂ ନରୱେ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।

ଅଧିକ ପଢନ୍ତୁ