ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି। ଆଗାମୀ ଦିନରେ ଭାରତ ମହାସାଗରରେ ପାଖାପାଖି ସ୍ଥାୟୀ ଗ୍ରୀଷ୍ମ ଲହର ଅନୁଭୂତ ହେବାକୁ ଯାଉଥିବା ଏକ ଅଧ୍ୟୟନରେ ପୂର୍ବାନୁମାନ କରାଯାଇଛି। ଏହାଦ୍ବାରା ଜଳବାୟୁ ଉପରେ ଭୀଷଣ ପ୍ରଭାବ ପଡ଼ିବ ବୋଲି ପୁଣେସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମିଟିଓରୋଲୋଜି (ଆଇଆଇଟିଏମ୍), ଅଷ୍ଟ୍ରେଲିଆର ସିଏସ୍ଆଇଆରଓ, ଆମେରିକାର ପ୍ରିନ୍ସଟନ ବିଶ୍ବବିଦ୍ୟାଳୟ, ଫ୍ରାନ୍ସର ସୋରବନ୍ ବିଶ୍ବବିଦ୍ୟାଳୟ ଓ ବର୍ନ ବିଶ୍ବବିଦ୍ୟାଳୟର ଏକ ମିଳିତ ଗବେଷଣା ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବାୟୁମଣ୍ଡଳକୁ ଅନିୟନ୍ତ୍ରିତ କାର୍ବନ୍ ଡାଇଅକ୍ସାଇଡ୍ (ଅଙ୍ଗାରକାମ୍ଳ)ର ନିର୍ଗମନ ଏହି ଉତ୍ତାପ ବୃଦ୍ଧିର ପ୍ରମୁଖ କାରଣ। ଏଭଳି ଉତ୍ତାପ ବୃଦ୍ଧି ଦ୍ବାରା ସମୁଦ୍ର ପତ୍ତନର ବୃଦ୍ଧି ସହିତ ପାଣିପାଗରେ ଅବିଶ୍ବସନୀୟ ପରିବର୍ତ୍ତନ ଆସିବ। ଭବିଷ୍ୟତରେ ସମୁଦ୍ର ଆହରଣ କରି ଗଚ୍ଛିତ କରି ରଖୁଥିବା ବର୍ଦ୍ଧିତ ଉତ୍ତାପ ପରିମାଣ ପ୍ରତି ସେକେଣ୍ଡ, ପ୍ରତିଦିନ ଗୋଟିଏ ହିରୋସୀମା ପରମାଣୁ ବୋମା ବିସ୍ଫୋରଣର ଶକ୍ତି ସହ ସମାନ ହେବ ବୋଲି କୋଲ୍ କହିଛନ୍ତି।
ଆରବ ସାଗର ସମେତ ଉତ୍ତରପଶ୍ଚିମ ଭାରତ ମହାସାଗରରେ ସର୍ବାଧିକ ଉତ୍ତାପ ଅନୁଭୂତ ହେବାକୁ ଥିବାବେଳେ ସୁମାତ୍ରା ଓ ଜାଭା ଉପକୂଳରେ ତାପମାତ୍ରା କମ୍ ରହିବ। ସମୁଦ୍ର ତାପମାତ୍ରା ବୃଦ୍ଧି ଫଳରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭୀଷଣ ଜଳବାୟୁ ଘଟଣା ବଢ଼ିପାରେ ବୋଲି ଅଧ୍ୟୟନରେ କୁହାଯାଇଛି। ଗବେଷଣାରେ ସାମିଲ ହୋଇଥିବା ଆଇଆଇଟିଏମ୍ର ପରିବେଶ ବିଜ୍ଞାନୀ ଡ ରକ୍ସି ମାଥ୍ୟୁ କୋଲ୍ କହିଛନ୍ତି ଯେ ୧୯୫୦ରୁ ୨୦୨୦ ମଧ୍ୟରେ ଭାରତ ମହାସାଗରର ତାପମାତ୍ରା ୧.୨ ଡିଗ୍ରି ସେଲ୍ସିୟସ ବୃଦ୍ଧି ଘଟିଛି। ସାଂପ୍ରତିକ ଅଙ୍ଗାରକାମ୍ଳ ନିର୍ଗମନ ଯଦି ଅପରିବର୍ତ୍ତିତ ରହେ ତେବେ ଏହି ତାପମାତ୍ରା ୨୧୦୦ ବେଳକୁ ୧.୭ ଡିଗ୍ରିରୁ ୩.୮ ଡିଗ୍ରି ସେଲ୍ସିୟସ ବୃଦ୍ଧି ପାଇବ। ବର୍ତ୍ତମାନ ସାମୁଦ୍ରିକ ତାପ ଲହର ବର୍ଷକୁ ୨୦ ଦିନ ରହୁଛି, ଶତାବ୍ଦୀ ଶେଷ ବେଳକୁ ଏହା ବର୍ଷକୁ ୨୨୦ରୁ ୨୫୦ ଦିନ ବୃଦ୍ଧି ପାଇବ।