ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍। ଆଖି ପିଛୁଳାକେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ । ଇହା ମଧ୍ୟରେ ଭୁବନେଶ୍ବରରୁ ଖୋର୍ଦ୍ଧାରୋଡ୍ ପର୍ଯ୍ୟନ୍ତ ୨୦ କିମି ରେଳ ଲାଇନ୍କୁ ଅଟୋ ସିଗନାଲିଂ ହୋଇସାରିଛି ।୨୦୨୪-୨୫ ଆର୍ଥିକ ବର୍ଷରେ ମଞ୍ଜୁରିପ୍ରାପ୍ତ ଏହି ପ୍ରକଳ୍ପ ଯାତ୍ରୀ ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ଉନ୍ନତ ଓ ଗୁରୁତ୍ୱପୂର୍ଣ୍ଣ ରେଳ କରିଡରରେ ଅଧିକ ଅନୁମୋଦିତ ଟ୍ରେନ୍ ଗତି ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୬ ଜାନୁଆରୀ ସୁଦ୍ଧା କାର୍ଯ୍ୟ ଶେଷ ପରେ ଟ୍ରେନ୍ ଗୁଡ଼ିକ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ସୁରକ୍ଷିତ ଭାବେ ଚାଲିପାରିବ । ଏହା ଦ୍ବାରା ଟ୍ରେନ୍ ଯାତ୍ରା ସମୟ ହ୍ରାସ ପାଇବ। ସମୟାନୁବର୍ତ୍ତିତାରେ ଉନ୍ନତି ଆସିବା ସହ ଯାତ୍ରୀଙ୍କ ସୁବିଧା ମଧ୍ୟ ବୃଦ୍ଧି ପାଇବ। ପ୍ରକଳ୍ପର ସିଗ୍ନାଲିଙ୍ଗ ଓ ଟେଲିକମ୍ୟୁନିକେସନ୍(ଏସ୍ ଆଣ୍ଡ୍ ଟି) ଉପାଦାନ ଅନ୍ତର୍ଗତ ଏହି ସେକ୍ସନରେ ୮ଟି ଷ୍ଟେସନ, ୧୦ଟି ଲେଭଲ୍ କ୍ରସିଂ ଗେଟ୍ ଓ ଗୋଟିଏ ମଧ୍ୟବର୍ତ୍ତୀ ବ୍ଲକ୍ ହଟ୍ରେ କୌଣସି ପରିବର୍ତ୍ତନ ନ କରି ଉନ୍ନତୀକରଣ କାର୍ଯ୍ୟ ଚାଲିଛି । ସିଷ୍ଟମ୍ ଇଣ୍ଟିଗ୍ରେସନ୍ର ଅଂଶ ଭାବେ ପ୍ରମୁଖ ସିଗ୍ନାଲିଂ ପରିବର୍ତ୍ତନ ହୋଇଛି । ହରିପୁର, ସକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଡେଲାଙ୍ଗ, ମାଳତୀପାଟପୁର ଓ ପୁରୀ ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ(ଇଏଲ୍) ପରିବର୍ତ୍ତନ, ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ରୁଟ୍ ରିଲେ ଇଣ୍ଟରଲକିଂ(ଆରଆରଆଇ) ପରିବର୍ତ୍ତନ, ମୋଟାରି ଷ୍ଟେସନରେ ପ୍ୟାନେଲ୍ ଇଣ୍ଟରଲକିଂ(ପିଆଇ) ପରିବର୍ତ୍ତନ ହୋଇଛି । ଅଧିକ ଅନୁମୋଦିତ ଗତି ରେଳ ଯାତ୍ରାକୁ ସୁଦୃଢ଼ କରାଇବ। ଉନ୍ନତ ଗତି ନିୟନ୍ତ୍ରଣ ଉତ୍ତମ ସମୟାନୁବର୍ତ୍ତୀତା ଓ ଅଧିକ ନିର୍ଭରଯୋଗ୍ୟ ଟ୍ରେନ ସେବାରେ ଅବଦାନ ରଖିବ। ହଠାତ୍ ଗତିରେ ପରିବର୍ତ୍ତନ ତଥା ବେଗ ହ୍ରାସ ଯୋଗୁଁ ଉପୁଜୁଥିବା ସମସ୍ୟାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ। ଫଳରେ ଯାତ୍ରୀମାନେ ଅଧିକ ସୁଗମ ଓ ଆରାମଦାୟକ ଯାତ୍ରା କରିବେ।
