ଭୁବନେଶ୍ୱର ରାମମନ୍ଦିର ନିକଟରୁ ଶିଶୁ ଚୋରି ଘଟଣା । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍ । ଜଣେ ବ୍ୟକ୍ତି ଶିଶୁପୁତ୍ରକୁ ନେଉଥିବାର ସିସିଟିଭିର କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିଲା ପୋଲିସ । ଶେଷରେ ଅପହରଣର ୩ ଦିନ ପରେ ବାଲେଶ୍ବରରୁ ୨ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରି ଅପହରଣକାରୀକୁ ଗିରଫ କରିଛି ପୋଲିସ । ଅପହରଣକାରୀ ଶିଶୁଟିକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା । ଖଡଗପୁର, ହାୱଡ଼ା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନକୁ ସିସିଟିଭି ଫୁଟେଜ ପଠାଯାଇଥିଲା । ଟ୍ରେନ ଯୋଗେ ଅପହରଣକାରୀ ରାଜ୍ୟ ବାହାରକୁ ଶିଶୁଟିକୁ ନେଇଯାଇଥିବା ସନ୍ଦେହ କରାଯାଉଥିଲା । ଏକାଧିକ ଟିମ୍ ଗଠନ କରି ତଦନ୍ତ କରୁଥିଲା ପୋଲିସ। . ଏପଟେ ପୁଅକୁ ଝୁରି ଝୁରି ଦିବ୍ୟାଙ୍ଗ ମାଆ ଆଖିରୁ ଲୁହ ଶୁଖୁନି । ଗତ ପାଞ୍ଚ ବର୍ଷ ହେବ ଶିଶୁର ମାଆ ରାମ ମନ୍ଦିର ଆଗରେ ଭିକ୍ଷା ବୃତ୍ତି କରୁଛନ୍ତି ।ବିସ୍କୁଟ, ଜୁସ୍ ଏବଂ ମୋବାଇଲ ଲୋଭ ଦଖାଇ ମାଆ କୋଳରୁ ଶିଶୁ ପୁତ୍ରକୁ ନେଇ ଯାଇଥିଲେ ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆଣିଥିଲେ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟି ବାଧିତ ମହିଳା । ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏଭଳି ଘଟଣା ।
ମହିଳା ଜଣକ ଏ ନେଇ ଖାରବେଳେନଗର ଥାନାରେ ଦ୍ୱାରସ୍ଥ ହୋଇଥିଲେ। ରାମ ମନ୍ଦିର ସାମ୍ନାରେ ଶୋଇଥିବା ବେଳେ ଯେତେବେଳେ ନିଦ ଭାଙ୍ଗିଲା ଶିଶୁପୁତ୍ରଟିକୁ ସେ ପାଇନଥିଲେ। ଶିଶୁପୁତ୍ର ନିଖୋଜ ଥିବା ନେଇ ସେ ଥାନାରେ ଜଣାଇଥିଲେ।