ଭୁବନେଶ୍ୱରରେ ରାବଣ ପୋଡି ବେଳେ ୧୫୦ରୁ ଅଧିକ ମୋବାଇଲ ଲୁଟ। ବରମୁଣ୍ଡା ପଡିଆରେ ମାତିଥିଲେ ଲୁଟେରା । ଏପଟେ ବାଣଫୁଟା ଚାଲିଥିବା ବେଳେ ପକେଟରୁ ମୋବାଇଲ ଗାୟବ ହୋଇଯାଉଥିଲା।ବରମୁଣ୍ଡା ଦଶହରା ପଡ଼ିଆରେ ହଜାର ହଜାର ଲୋକଙ୍କ ସମାଗମ ମଧ୍ୟରେ ଏହି ଚୋରିର ଘଟଣା ଘଟିଥିବା ଜଣାପଡ଼ିଛି। ଉତ୍ସବର ଉତ୍ତେଜନା ଓ ଭିଡ଼ର ସୁଯୋଗ ନେଇ ଚୋରମାନେ ଅନେକ ଦର୍ଶକଙ୍କ ମୋବାଇଲ୍ ଫୋନ ଚୋରି କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୋଗକାରୀମାନେ ଖଣ୍ଡଗିରି ଥାନାରେ ଭିଡ଼ ଜମାଇ ନିଜ ନିଜର ମୋବାଇଲ୍ ଚୋରି ସମ୍ପର୍କରେ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରି ମାମଲା ରୁଜୁ କରିଛି।ଆନ୍ତଃରାଜ୍ୟ ଗ୍ୟାଙ୍ଗ ଲୁଟ ପାଟ କରିଥିବା ସନ୍ଦେହ କରାଯାଉଛି।କେବଳ ବରମୁଣ୍ଡା ପଡିଆରୁ ଏତେ ପରିମାଣରେ ମୋବାଇଲ ଲୁଟ ହୋଇଥିବା ବେଳେ ଅନ୍ୟ ସ୍ଥାନରେ ମଧ୍ୟ ଏହି ଲୁଟେରା ଗ୍ୟାଙ୍ଗ ଲୁଟ ପାଟ କରୁଥିବା ସନ୍ଦେହ କରୁଛି ପୋଲିସ ।ଚଳିତ ବର୍ଷ ରାବଣପୋଡ଼ି ଆୟୋଜନ ସମୟରେ ବର୍ଷା ହେତୁ ଅନେକେ ଉତ୍ସବ ହେବ କି ନାହିଁ ସନ୍ଦେହରେ ଥିଲେ। ତଥାପି, ଆୟୋଜକ କମିଟି ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ବରମୁଣ୍ଡା ପଡ଼ିଆରେ ୭୦ ଫୁଟ ଉଚ୍ଚତା ବିଶିଷ୍ଟ ରାବଣଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ିବାରେ ସଫଳ ହୋଇଥିଲେ। ଏହା ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦର ସଞ୍ଚାର କରିଥିଲା। କିନ୍ତୁ ଏହି ଚୋରିର ଘଟଣା ଉତ୍ସବର ଆନନ୍ଦକୁ ମଳିନ କରିଛି।
