ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି । ଏଥିପାଇଁ ଉତ୍ସବ ଆୟୋଜନ ସ୍ଥଳ ଜନତା ମଇଦାନରେ ଭୂମିପୂଜନ କରାଯାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୦୩ରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି। ବିଶ୍ବ ଦରବାରରେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଉପରେ ଅତ୍ୟନ୍ତ ଗୁରୁତ୍ୱାରୋପ କରୁଛନ୍ତି।
ଏହାକୁ ଅତ୍ୟନ୍ତ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରି ବିଶ୍ୱରେ ଓଡ଼ିଶାର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ତେବେ ଏଥିରେ ପ୍ରଥମ ଦିନ ଜାନୁଆରୀ ୮ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଦ୍ବିତୀୟ ଦିନ ଜାନୁଆରୀ ୯ରେ ପ୍ରଧାନମନ୍ତ୍ରୀ ଓ ଶେଷ ଦିନ ଜାନୁଆରୀ ୧୦ରେ ରାଷ୍ଟ୍ରପତି ଏଥିରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।କାର୍ଯ୍ୟକ୍ରମରେ ‘Unraveling India’s Best Kept Secret’ ଏବଂ ‘Odisha – the Land of Opportunities’ ଆଦି ବିଷୟ ଉପରେ Plenary Session ଅନୁଷ୍ଠିତ ହେବ। ଏହା ସହିତ ଓଡିଶାର ଐତିହାସିକ ଗୌରବ, କଳା, ଭାସ୍କର୍ଯ୍ୟ, ସଂଗୀତ, ନୃତ୍ୟ, ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ, ପର୍ଯ୍ୟଟନ ସ୍ଥାନ ଆଦି ବିଭିନ୍ନ ବିଷୟ ଉପରେ ଡିଜିଟାଲ ଓ ଅନ୍ୟାନ୍ୟ ମାଧ୍ୟମରେ ଉପସ୍ଥାପନ କରାଯିବ।