ରାଜଧାନୀ ରାଜରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ନାବାଳିକା ଉଦ୍ଧାର ପରେ ଗୁମର ଫିଟୁଛି । ନାବାଳିକା ଜଣଙ୍କୁ ସେକ୍ସ ରାକେଟରେ ଲଗାଯାଇଥିବା ନେଇ କମିଶନରେଟ୍ ପୋଲିସ ବଡ଼ ଖୁଲାସା କରିଛି । ଏଥିସହ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ସାମ୍ନାକୁ ଆସିଛି ଭୟଙ୍କର ତଥ୍ୟ। ଘର ଭିତରେ ଚାଲିଥିଲା ସେକ୍ସ ରାକେଟ। ଘର ଭିରରୁ ଉଦ୍ଧାର ହୋଇଛନ୍ତି ଝାରାଖଣ୍ଡ ଓ ପଶ୍ଚିମ ବଙ୍ଗ ୪ନାବାଳିକା। ସୂଚନାମୁତାବକ ରାଜଧାନୀର ରାଜ ରାସ୍ତାରୁ ଜଣେ ନାବାଳିକାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି ।ନାବାଳିକା ଜଣଙ୍କ ଝାଡ଼ଖଣ୍ଡର, ତାଙ୍କୁ ୧୬ ବର୍ଷ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି । ସେପଟେ ସମ୍ପୂର୍ଣ୍ଣ ମେଡିକାଲ ରିପୋର୍ଟ ପୋଲିସ ହାତରେ ଲାଗି ନଥିବା ବେଳେ ନାବାଳିକାଙ୍କୁ ସେକ୍ସୁଆଲ ଆସଲ୍ଟ ଆଧାରରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ନାବାଳିକାଙ୍କ ପାଖରୁ ମୋବାଇଲ କି ପର୍ସ କିଛି ବି ଜିନିଷ ମିଳି ନଥିବା ବେଳେ ତାଙ୍କ ସହ କେହି ଆଟେଡାଣ୍ଟ ନଥିବାରୁ ପରିଚୟ ହାସଲ କରିବାରେ ନାକେଦମ ହୋଇଛି ପୋଲିସ ।
ଯଦିଓ ନାବାଳିକାଙ୍କ ଠିକଣା ଓ ପରିଚୟକୁ ନେଇ କିଛି ସ୍ପଷ୍ଟ ପ୍ରମାଣ ପୋଲିସ ହାତରେ ଲାଗିନି ତଥାପି ଏ ଦିଗରେ ଖୋଳତାଡ଼ ଜାରି ରହିଛି । ସେପଟେ ପ୍ରଥମେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ଫିଟିଛି ଅସଲ ଗୁମର । ନାବାଳିକାଙ୍କୁ ଆଣି ସେକ୍ସ ରାକେଟରେ ଲଗାଯାଇଥିବା ସୂଚନା ଲାଗିଛି କମିଶନରେଟ ପୋଲିସ ହାତରେ ।