ଭୟଙ୍କର ଦୁର୍ଘଟଣା । ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍ , ୨ ମୃତ । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୮ ନମ୍ବର ଜାତୀୟ ରାଜପଥ ବେତନଟୀ ଉପକଣ୍ଠ ଆଗ୍ରିଆ ବଡପୋଲ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ହେଉଛନ୍ତି ଉତ୍ତରପ୍ରଦେଶ ମିରଟ ଅଞ୍ଚଳର ବିଜେନ୍ଦ୍ର ଭାରତୀଙ୍କ ପୁଅ ଅତୁଲ ଭାରତୀ ଏବଂ ହରିୟାଣାର କର୍ଣ୍ଣାଲ ଜିଲ୍ଲା ଅଧୀନ ପଡା ଗାଁର ଜଗଦେବ ଦୋଡ଼ଙ୍କ ପୁଅ ସୁନ୍ଦର ଦୋଡ଼ ବୋଲି ଜଣାପଡିଛି । ଆଜି ସକାଳେ ବାରିପଦାରୁ ବାଲେଶ୍ବର ଟ୍ରାକ୍ଟର ଯୋଗେ ଫେରୁଥିବାବେଳେ ଜାତୀୟ ରାଜପଥ ଆଗ୍ରିଆ ବଡପୋଲ ଠାରେ ଏକ ଦ୍ରୁତଗାମୀ ଟ୍ରକ ପଛପଟୁ ଆସି ଟ୍ରାକ୍ଟର ଉପରେ ମାଡି ଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରାକ୍ଟରଟି ତିନିଖଣ୍ଡ ହୋଇଯାଇଥିଲା ।

ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ ପ୍ରଥମେ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ । ପୁଲିସ ଖଣ୍ଡ ବିଖଣ୍ଡିତ ଟ୍ରାକ୍ଟରକୁ ଜବତ କରିବା ସହିତ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଟ୍ରକ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ।