ଯେତେ ଯାହା କଲେ ବି ପ୍ରକୃତି ଛାଡୁନି ପାକିସ୍ତାନ । କେତେବେଳେ ସିଜ୍ଫାୟର ତ ଆଉ କେତେବେଳେ ବିବେକହୀନ କାମ । ଏମିତି ପୁଣି ଗୋଟିଏ ସମାଲୋଚନାର ଶିକାର ହୋଇଛି ପାକିସ୍ତାନ ।ଇଣ୍ଡିଗୋ ବିମାନକୁ ପାକିସ୍ତାନ ଆକାଶମାର୍ଗ ବ୍ୟବହାର ପାଇଁ ଅନୁମତି ଦେଲାନି ପାକିସ୍ତାନ । ଖରାପ ପାଗ ଯୋଗୁଁ ଟର୍ବୁଲେନ୍ସରୁ ବର୍ତ୍ତିବାକୁ ପାକ୍ ଏୟାରସ୍ପେସ୍ ବ୍ୟବହାର କରିଥାନ୍ତା ଇଣ୍ଡିଗୋ । ଏନେଇ ବିମାନର ପାଇଲଟ୍ ପାକିସ୍ତାନକୁ ଅନୁମତି ମାଗିଥିଲେ । ହେଲେ ପାକିସ୍ତାନ ଏହାକୁ ପ୍ରତ୍ୟାଖାନ କରିଦେଇଥିଲା । ଦିଲ୍ଲୀରୁ ଶ୍ରୀନଗର ବିମାନ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ଇଣ୍ଡିଗୋ ବିମାନରେ ଥିଲେ ୨୨୭ ଜଣ ଯାତ୍ରୀ । ଟର୍ବୁଲେନ୍ସରୁ ବଞ୍ଚିବାକୁ କିଛି ସମୟ ପାଇଁ ପାକିସ୍ତାନ ଏୟାରସ୍ପେସ୍ ଲାଗି ଅନୁମତି ମାଗିଥିଲେ ମଧ୍ୟ ପାକିସ୍ତାନ ଦେଇନଥିଲା । ଏହା ହେଉଛି ପାକିସ୍ତାନର ଚରିତ୍ର ।ଅନୁମତି ନ ମିଳିବାରୁ, ବିମାନଟି ଏହାର ଉଡ଼ାଣ ପଥ ବଜାୟ ରଖିଥିଲା । ପାକିସ୍ତାନର ପ୍ରତ୍ୟାଖ୍ୟାନ ପରେ ପାଇଲଟ୍ ଶ୍ରୀନଗର ବିମାନବନ୍ଦରରେ ବିମାନ ଟ୍ରାଫିକ୍ ନିୟନ୍ତ୍ରଣକୁ ‘ଜରୁରୀକାଳୀନ’ ସୂଚନା ଦେଇଥିଲେ ।
କ୍ୟାବିନ କ୍ରୁ ନିର୍ଦ୍ଧାରିତ ପ୍ରୋଟୋକଲ ପାଳନ କରିଥିଲେ ଏବଂ ବୁଧବାର ବିମାନଟି ଶ୍ରୀନଗରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷର ଜଣେ ଅଧିକାରୀ କହିଛନ୍ତି ଯେ, ବିମାନଟି ସନ୍ଧ୍ୟା ୬ଟା ୩୦ରେ ଶ୍ରୀନଗରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ବିମାନ ଅବତରଣ କରିବା ପରେ ବିମାନବନ୍ଦର ଦଳ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।