ମଣିଷ ଶରୀରରେ ଲାଗିଥିଲା ଘୁଷୁରୀ କିଡନୀ, ୧୩୦ ଦିନ ବଞ୍ଚିଲେ ମହିଳା

ଶରୀରରେ ୫ ମାସ ଘୁଷୁରୀ କିଡନୀ ଲଗାଇ ରଖି ରେକର୍ଡ କଲେ ମହିଳା । ଏପ୍ରିଲ ୨୦୨୪ରେ, ଆମେରିକାର ୫୩ ବର୍ଷୀୟା ମହିଳା ତୋବାନା ଲୁନିଙ୍କ ଶରୀରରେ ଏକ ଜେନେଟିକାଲି ପରିବର୍ତ୍ତିତ ଘୁଷୁରୀ କିଡନୀ ପ୍ରତିରୋପଣ କରାଯାଇଥିଲା। ଆରମ୍ଭରେ ସବୁକିଛି ଭଲ ଚାଲିଥିଲା। ଅସ୍ତ୍ରୋପଚାର ପରେ, ସେ ଏହି ପ୍ରାଣୀର କିଡନୀ ସାହାଯ୍ୟରେ ୧୩୦ ଦିନ ଅର୍ଥାତ୍ ପ୍ରାୟ ୫ ମାସ ବଞ୍ଚିଥିଲେ ।ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଘୁଷୁରୀର କିଡନୀରେ ଏତେ ଦିନ ପର୍ଯ୍ୟନ୍ତ ବଞ୍ଚିବାରେ ମହିଳା ଜଣଙ୍କ ପ୍ରଥମ । କାରଣ ଆଗରୁ କେବେ ବି ଏଭଳି କିଛି ଘଟିନଥିଲା । କିନ୍ତୁ ତା’ପରେ ଏପରି କିଛି ଘଟିଲା ଯାହା ଡାକ୍ତରମାନଙ୍କୁ ମଧ୍ୟ ଚିନ୍ତିତ କରିଦେଇଥିଲା । ମହିଳାଙ୍କ ଶରୀର ଧିରେ; ଧିରେ ଦିନ ଗଡିବା ସାଙ୍ଗରେ ଏହି କିଡନୀକୁ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କଲା । ଏହି କିଡନୀ ହଠାତ୍ କାହିଁକି କାମ କରିବା ବନ୍ଦ କରିଦେଲା ତାହା ଡାକ୍ତରମାନେ ଏପର୍ଯ୍ୟନ୍ତ ଜାଣିପାରି ନାହାନ୍ତି ।ତେବେ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ପ୍ରତିରୋପଣ ସମ୍ପୂର୍ଣ୍ଣ ବିଫଳ ନଥିଲା । ଗୋଟିଏ ମଣିଷ ଶରୀରରେ ଘୁଷୁରିର କିଡନୀ ୧୩୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବା ଏକ ବଡ଼ ସଫଳତା ।

ଏହାକୁ ନେଇ ହସ୍ପିଟାଲର ସର୍ଜନମାନେ କହିଛନ୍ତି, ଏହା ଭବିଷ୍ୟତରେ କିଡନୀ ଫେଲ୍ୟୁଅର ରୋଗୀଙ୍କୁ ନୂତନ ଜୀବନ ଦେଇପାରିବ । ଦାତାଙ୍କ ଅଭାବ ଏବଂ ଲମ୍ବା ପ୍ରତୀକ୍ଷା ତାଲିକା ଥିବା ଦେଶମାନଙ୍କ ପାଇଁ ଏହା ଏକ ବୈପ୍ଳବିକ ବିକଳ୍ପ ହୋଇପାରେ । ହେଲେ ଏହା ଯେ ସମ୍ପୂର୍ଣ୍ଣ ଲାଭଦାୟକ ତା ନୁହେଁ, କାରଣ ବିଶେଷଜ୍ଞଙ୍କ ମତ ଅନୁସାରେ, ଏଟା ସତ ଯେ ଘୁଷୁରୀ କିଡନୀ ଯୋଗୁଁ ରୋଗୀମାନଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡିବ ନାହିଁ କିମ୍ବା ପରିବାରର କୌଣସି ସଦସ୍ୟଙ୍କୁ ଅଙ୍ଗ ଦାନ କରିବାକୁ ପଡିବ ନାହିଁ । କିନ୍ତୁ ବର୍ତ୍ତମାନ ଏଥିରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ମାନବ ଶରୀରର ରୋଗ ପ୍ରତିରୋଧକ ପ୍ରତିକ୍ରିୟା । ଜେନେଟିକ୍ ଇଞ୍ଜିନିୟରିଂ ମାଧ୍ୟମରେ ଘୁଷୁରୀ କିଡନୀକୁ ମାନବ ଶରୀର ସହିତ ସୁସଙ୍ଗତ କରାଯାଏ, କିନ୍ତୁ ଶରୀର ଏହାକୁ ଏକ ବାହାର ଅଙ୍ଗ ବୋଲି ବିବେଚନା କରି କେତେବେଳେ ବି ପ୍ରତ୍ୟାଖ୍ୟାନ କରିପାରିବ । ଯାହା ପରେ ଏହା ରୋଗୀଟି ପାଇଁ ବିପଦ ହୋଇପାରେ ।

ଅଧିକ ପଢନ୍ତୁ

kc ads