ମୃତ୍ୟୁ ପୂର୍ବରୁ ୨୪ପୃଷ୍ଠାର ସୁଇସାଇଡ ନୋଟ୍‌ ଲେଖିଲେ ଆଇଟି କର୍ମଚାରୀ

ସ୍ତ୍ରୀ ବାରମ୍ବାର ହଇରାଣ କରୁଥିଲେ। ସ୍ତ୍ରୀଙ୍କ ସହ ପରିବାର ଲୋକ ମଧ୍ୟ ହାତ ମିଳାଇଥିଲେ। ଦିନକୁ ଦିନ ସ୍ତ୍ରୀଙ୍କ ନିର୍ଯ୍ୟାତନା ବଢିବାରେ ଲାଗିଥିଲା। ଜଣେ ମହିଳା ବିଚାରପତି ମଧ୍ୟ ସ୍ତ୍ରୀଙ୍କୁ ଘରୋଇ ହିଂସା ମାମଲାରେ ସହାୟତା କରୁଥିଲେ। ଏପରିକି ସ୍ତ୍ରୀ ମାମଲା ରୁଜୁ କରି ଟଙ୍କା ମାଗି ଚାଲିଥିଲେ। ସହିବାର ସୀମା ଏତେ ବଢି ଯାଇଥିଲା ଯେ ବେଙ୍ଗାଲୁରୁରେ ରହୁଥିବା ଜଣେ ୩୪ ବର୍ଷୀୟ ବ୍ୟକ୍ତି ନିଜ ଫ୍ଲାଟରେ ନିଜ ଜୀବନ ହାରି ଦେଇଛନ୍ତି।୨୪ ପୃଷ୍ଠାର ସୁଇସାଇଡ ନୋଟ ମଧ୍ୟରୁ ୪ ପୃଷ୍ଠା ହାତରେ ଲେଖାଯାଇଥିବା ବେଳେ ବାକି ୨୦ ପୃଷ୍ଠା ଟାଇପ ହୋଇଛି। ଏହା ଉପରେ ନ୍ୟାୟ ବାକି ରହିଛି ବୋଲି ଲେଖାଯାଇଛି। ସେ ତାଙ୍କ ନୋଟରେ ନିଜର ସ୍ତ୍ରୀ, ତାଙ୍କ ମା’, ଭାଇ ଓ ଦାଦାଙ୍କୁ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ସେମାନେ ସମସ୍ତେ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ଅତୁଲ ଅଭିଯୋଗ କରିଛନ୍ତି। ଅତୁଲ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି।

କେମିତି ଜଣେ ମିଛ କେସ କରି ଆଉ ଜଣଙ୍କୁ ବରବାଦ କରି ଦେଉଛି, ସେକଥା ମଧ୍ୟ ଚିଠିରେ ରହିଛି।ଦେଢ ଘଣ୍ଟାର ଭିଡିଓରେ ସେ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଦୁଃଖିତ କରିଛି । ତାଙ୍କ ମରଶରୀର ପତ୍ନୀ ନିକିତାଙ୍କୁ ଛୁଇଁବାକୁ ଦେବନି ବୋଲି କହିଛନ୍ତି । ନିଜ ସନ୍ତାନକୁ ପତ୍ନୀଙ୍କ ନିକଟରୁ ଆଣି ତାଙ୍କ ପରିବାର ଲୋକଙ୍କୁ ଦେବାକୁ ଇଛା ପ୍ରକାଶ କରିଛନ୍ତି । ବିନା କ୍ୟାମେରାରେ ନିକିତାଙ୍କୁ ନଭେଟିବାକୁ ଅତୁଲ ନିଜ ପିତାମାତାଙ୍କୁ ଅନୁରୋଧ କରିଛନ୍ତି । ତାଙ୍କୁ ନିର୍ଯାତନା ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ଦଣ୍ଡ ନପାଇବା ପର୍ଯ୍ୟନ୍ତ ଅସ୍ଥି ବିସର୍ଜନ ନକରିବାକୁ ସେ ପରିବାରଲୋକଙ୍କୁ ଅନୁରୋଧ କରିଛନ୍ତି । ଆବଶ୍ୟକ ପଡିଲେ ତାଙ୍କ ଅସ୍ଥିକୁ ଅଦାଲତ ବାହାରେ ଥିବା ନାଳରେ ଭସାଇଦେବାକୁ ସେ ଅନୁରୋଧ କରିଛନ୍ତି । ବେଙ୍ଗାଳୁରୁର ମଞ୍ଜୁନାଥ ଲେଆଉଟରେ ତାଙ୍କ ଫ୍ଲାଟରୁ ଅତୁଲଙ୍କ ମୃତଦେହ ଉଦ୍ଧାର ହୋଇଛି । ଅତୁଲ ଲେଖିଥିବା ଚିଠିର ପ୍ରତ୍ୟେକ ପୃଷ୍ଠାରେ ମୋତେ ନ୍ୟାୟ ମିଳିବା ଉଚିତ ବୋଲି ଲେଖିଛନ୍ତି ।

ଅଧିକ ପଢନ୍ତୁ