ମଧ୍ୟାହ୍ନ ଭୋଜନ‌ରେ ଛାତ୍ରଙ୍କୁ ଭାତ ସହ ଦିଆଗଲା ଲଙ୍କା ଗୁଣ୍ଡ

ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ନେଇ ବିଭିନ୍ନ ରାଜ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏହି ଯୋଜନା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଘଟଣା ସାମ୍‌ନାକୁ ଆସୁଛି। ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ କୋଠାପଲ୍ଲୀ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଲଙ୍କା ଗୁଣ୍ଡ ଦିଆଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସ୍କୁଲରେ ମଧ୍ୟାହ୍ନ ଭୋଜନ ଦେଉଥିବା ଏଜେନ୍ସି ଛାତ୍ରମାନଙ୍କୁ ଲଙ୍କା ଗୁଣ୍ଡ ଏବଂ ତେଲ ମିଶା ଭାତ ପରଷି ଥିଲେ। ଯେତେବେଳେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହେଲା, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଏନ ଦୁର୍ଗାପ୍ରସାଦ ଏହାର ଅନୁସନ୍ଧାନ କରିଥିଲେ।ଏହା ଖାଇବା ପରେ କେତେକ ଛାତ୍ରୀଛାତ୍ର ପେଟ ଯନ୍ତ୍ରଣା ଅନୁଭବ କରିବା ସହ ଅସୁସ୍ଥ ହୋଇପଡ଼ିଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ନିଜାମାବାଦ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଉକ୍ତ ଘଟଣାକୁ ନେଇ ରାଜ୍ୟରେ ବିରୋଧୀ ଭାରତ ରାଷ୍ଟ୍ରୀୟ ସମିତି (ବିଆର୍‌ଏସ୍‌)ରେବନ୍ତ ରେଡ୍ଡୀ ସରକାରଙ୍କୁ ଟାର୍ଗେଟ କରିଛି। ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଭାତ ସହ ଲଙ୍କା ଗୁଣ୍ଡ ପରସା ଯାଇଥିବାର ଏକ ଫଟୋକୁ ରାଜ୍ୟର ପୂର୍ବତନ ସ୍ବାାସ୍ଥ୍ୟ ମନ୍ତ୍ରୀ ତଥା ବିଆର୍‌ଏସ୍‌ ନେତା ହରିଶ୍‌ ରାଓ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଏକ୍ସ’ରେ ପୋଷ୍ଟ କରିଛନ୍ତି, ଯାହା ବେଶ୍‌ ଭାଇରାଲ ହୋଇଛି।ଏନେଇ ଏଜେନ୍ସିର ଆୟୋଜକ ସୁଶୀଲାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଡାଲି ଅଧିକ ସିଝି ଯାଇଥିବାରୁ ଖାଇବାକୁ ଭଲ ଲାଗୁନଥିଲା। ଏହା ପରେ କିଛି ଛାତ୍ର ଲଙ୍କା ଗୁଣ୍ଡ ସହିତ ତେଲ ମାଗିଥିଲେ। ଏଭଳି ଭୁଲ ଆଗକୁ ହେବ ନାହିଁ। ମୋତେ କ୍ଷମା କରିବେ।

ଅଧିକ ପଢନ୍ତୁ